ଭଦ୍ରକ: ଖୁବଶୀଘ୍ର ଓଡିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ଏହାର ରହଣିସ୍ଥଳ ସୀମିତ ଥିବା ବେଳେ ଭଦ୍ରକ ରେଳ ଷ୍ଟେସନ ଏଥିରେ ଅନ୍ତର୍ଭୁକ୍ତ । ତେଣୁ ରେଳ ଷ୍ଟେସନର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହିତ ତୃତୀୟ ରେଳ ଲାଇନ କାର୍ଯ୍ୟର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିବା ପାଇଁ ଷ୍ଟେସନ ଗ୍ରସ୍ତରେ ଆସିଥିବା ବେଳେ ଏପରି ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ମନୋଜ ଶର୍ମା ।
ପ୍ରଥମେ ସେ ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚି ତୃତୀୟ ରେଳ ଲାଇନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଉପସ୍ଥିତ ରେଳବାଇର ଅଧିକାରୀଙ୍କ ଠାରୁ ବୁଝିବା ସହିତ କାର୍ଯ୍ୟର ଅଗ୍ରଗତି ଦେଖିଥିଲେ । ପରେ ଭଦ୍ରକ ରେଳ ଷ୍ଟେସନର ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ରେଳବାଇ ଜେନେରାଲ ମ୍ୟାନେଜର ଷ୍ଟେସନ ଆସିଥିବା ଖବର ପାଇବା ପରେ ରେଳବାଇ ବୋର୍ଡ ସଦସ୍ୟ ଶିଶିର କୁମାର ମିଶ୍ରଙ୍କ ନେତୃତ୍ବରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ । ଏହାପରେ ଷ୍ଟେସନର ବିଭିନ୍ନ ସମସ୍ୟା ସମ୍ପର୍କରେ ଜେନେରାଲ ମ୍ୟାନେଜରଙ୍କୁ ଅବଗତ କରାଇ ଏକ ଦାବିପତ୍ର ଦେବା ସହ ଆଲୋଚନା କରିଥିଲେ । ଷ୍ଟେସନ ମଧ୍ୟକୁ ସିଧାସଳଖ ପ୍ରବେଶ, ପୁରୁଣା ଫୁଟ୍ ଓଭର ବ୍ରିଜର ନବୀକରଣ, କେତେକ ପାସେଞ୍ଜର ଟ୍ରେନରେ ଟିକେଟ ମୂଲ୍ୟର ଅସାମଞ୍ଜସ୍ୟ ସମ୍ପର୍କରେ ମଧ୍ୟ ଜେନେରାଲ ମ୍ୟାନେଜରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେରେଳବାଇ ବୋର୍ଡ ସଦସ୍ୟ ଶିଶିର କୁମାର ମିଶ୍ର ।
ରେଳବାଇ ଜେନେରାଲ ମ୍ୟାନେଜର ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ସହିତ ବନ୍ଦେ ଭାରତ ଏକ୍ସପ୍ରେସ ଓଡିଶାରେ ଖୁବ ଶୀଘ୍ର ଚାଲିବ ବୋଲି ମଧ୍ୟ ସୂଚନା ଦେଇଥିଲେ । ଯାହାକି ପୁରୀରୁ ହାୱଡ଼ା ପର୍ଯ୍ୟନ୍ତ ପ୍ରାୟ 400 କିଲୋ ମିଟର ରାସ୍ତା ଅତିକ୍ରମ କରିବା ନେଇ ଖୁବଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ମନୋଜ ଶର୍ମା। ତେବେ ରେଳବାଇ ଜେନେରାଲ ମ୍ୟାନେଜରଙ୍କ ଏହି ଗ୍ରସ୍ତ ସମୟରେ ଡିଆରଏମ ଏବଂ ଷ୍ଟେସନ ମ୍ୟାନେଜରଙ୍କ ସହିତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।