ଭଦ୍ରକ:ରାସ୍ତା କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ । ମେଡିକାଲରେ ସଙ୍କଟାପନ୍ନ ଅବସ୍ଥାରେ 4 ଜଣ ଭର୍ତ୍ତି ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ଅନ୍ତର୍ଗତ ବରାହନୂଆପଡ଼ାରେ ଦେଖିବାକୁ ମିଳିିଛି । ଖବର ଅନୁଯାୟୀ ଗ୍ରାମରେ ରାସ୍ତା କାମକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ଧିରେ ଧିରେ ଭୟଙ୍କର ରୂପ ଧାରଣ କରିଥିଲା । ପରେ ଗଣ୍ଡଗୋଳରେ 4 ଜଣ ଗୁରୁତର ଥିବାବେଳେ ଜଣଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ ଗ୍ରାମର ବରାହନୂଆପଡ଼ା ଗ୍ରାମରେ ରାସ୍ତା କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ଏହି ସଂଘର୍ଷରେ ଗୋଲକ ଚନ୍ଦ୍ର ମଲ୍ଲିକ, ଶଙ୍କର୍ଷଣ ମଲ୍ଲିକ, ସୁଦର୍ଶନ ପୁହାଣ, ଗୁରୁଚରଣ ସାହୁ ପ୍ରମୁଖଙ୍କୁ ଅପରପକ୍ଷର ପ୍ରାୟ 20 ରୁ 25 ଜଣ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିସହ ଉଭୟ ଗୋଷ୍ଠୀ ମଧ୍ୟରେ ଟେକ ପଥର ମାଡ ମଧ୍ୟ ହୋଇଥିଲା । ଟେକ ପଥର ମାଡରେ ଗାଁର ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏକ ମୋଟର ସାଇକେଲ ଜଳି ପୋଡ଼ି ପାଉଁଶ ହୋଇଥିବା ଦେଖିବାକୁ ମିଳିଛି ।