ଭଦ୍ରକ: 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତରେ ଆଜି ସମଗ୍ର ଓଡିଶା ହେବ ଗୁଞ୍ଜରିତ । କୋରାନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହିପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସଙ୍ଗୀତର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଭିଟାମାଟି ଭଦ୍ରକ ଆଜି ଏନେଇ ଗର୍ବିତ । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ମାନବ ଶୃଙ୍ଖଳ ଗଠନ କରି ନିଆରା ଢଙ୍ଗରେ ସଙ୍ଗୀତ ଗାନ କରିବାର ଯୋଜନା ହୋଇଛି ।
ଶ୍ରୀ ଗୋପୀନାଥ ଜୀଉ ଓ ରାଧାରଣୀ ଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଇଷ୍ଟଦେବ । ତାଙ୍କୁ ସ୍ମରଣ କରି ଆରମ୍ଭ କରୁଥିଲେ ଲେଖନୀ । ଓଡିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ ଓ ବ୍ୟଙ୍ଗ ସାହିତ୍ୟ ଆଦିରେ ସେ ଲେଖନୀ ଚାଳନା କରୁଥିଲେ । ସେ ତାଙ୍କର ଅସମ୍ପୂର୍ଣ୍ଣ ଉପନ୍ୟାସ 'କଣାମାମୁଁ' ଓ କ୍ଷୁଦ୍ରଗଳ୍ପ 'ବୁଢା ଶଙ୍ଖାରୀ' ପାଇଁ ଓଡିଶାର ଘରେ ଘରେ ପରିଚିତ । ସେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଭକ୍ତି କବିତା ରଚନା କରିଥିଲେ । ସେଗୁଡିକ ମଧ୍ୟରୁ 33 ରୁ ଅଧିକ ଦେଶପ୍ରେମ କବିତା ଅଛି । ଏହା ଭିତରୁ 2ଟି ଜଣାଶୁଣା କବିତା ହେଲା 'ବନ୍ଦେ ଉତ୍କଳ ଜନନୀ' ଓ 'ସବୁଥିରୁ ବଞ୍ଚିତ କରି କେଉଁ ଯଶ ବଣା ଉଡାଇବ ହେ।' ସ୍ଵତନ୍ତ୍ର ଓଡିଶା ଗଠନ ପାଇଁ ଏହି ପ୍ରେରଣା ଯୋଗାଇଥିଲା । ବନ୍ଦେ ଉତ୍କଳ ଜନନୀ ଅଭିଭକ୍ତ ବାଲେଶ୍ଵର ଜିଲ୍ଲାରେ ଆୟୋଜିତ ଉତ୍କଳ ସମ୍ମିଳନୀରେ 1912 ମସିହାରେ ପ୍ରଥମେ ଗାନ କରଯାଇଥିଲା । ମଧୁସୂଦନ ଦାସ ଏହାର ଭୂୟସୀ ପ୍ରଶଂସା କରିଥିଲେ । ଏହି ବନ୍ଦେ ଉତ୍କଳ ଜନନୀ ସ୍ଵତନ୍ତ୍ର ଓଡିଶା ଗଠନ ପାଇଁ ବେଶ ପ୍ରେରଣା ଯୋଗାଇଥିଲା । ତାଙ୍କ ରଚିତ ବନ୍ଦେ ଉତ୍କଳ ଜନନୀକୁ ଏବେ ଆନୁଷ୍ଠାନିକ ଭାବେ ରାଜ୍ୟ ସଙ୍ଗୀତ ଭାବେ ଗାନ କରାଯାଉଛି ।
କାନ୍ତକବି ମାତ୍ର 25 ବର୍ଷ ବୟସରେ ଦୂରାରୋଗ୍ୟରେ ଆକ୍ରାନ୍ତ ହୋଇଥିଲେ । ଧନୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବି ଜମିଦାରୀ ଚାଲିଯିବା ପରେ ସେ ଆର୍ଥିକ ଅନଟନ ଭୋଗିଥିଲେ । 1953 ମସିହା ଫେବୃୟାରୀ 24 ତାରିଖ ଦିନ ସେ ଇହଧାମ ତ୍ୟାଗ କରିଥିଲେ ।