ଭଦ୍ରକ:ବାସୁଦେବପୁର ଥାନା ବେତଡ଼ା ବଜାରର କାଶିଶ୍ଵର ଜୁଏଲାରୀରୁ ସୁନା ଅଳଙ୍କାର ଲୁଟ ଘଟଣା । 7 ମାସ ପରେ ଘଟଣାର ପର୍ଦ୍ଦାଫାସ କଲା ପୋଲିସ । 3 ଜଣଙ୍କୁ ଗିରଫ କରିବା ସହ ବେଳେ 30 ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟେରାଙ୍କ ଠାରୁ ଜବତ କଲା ପୋଲିସ । ଗତ 2022 ମସିହା ସେପ୍ଟେମ୍ବର ମାସ 14 ତାରିଖ ଦିନ କାଶିଶ୍ଵର ଜୁଏଲାରୀରୁ ପ୍ରାୟ ଏକ କେଜି ଓଜନର ସୁନା ଅଳଙ୍କାର ଚୋରି ହୋଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ସେପ୍ଟେମ୍ବର 14 ତାରିଖ ଦିନ ଅପରାହ୍ନ ସମୟରେ ଜୁଏଲାରୀ ଦୋକାନ ମାଲିକ ତାରାକାନ୍ତ ସାହୁ ଦୋକାନ ଖୋଲି ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗଟିକୁ ଶୋ’ କେସ ଉପରେ ରଖିଦେଇ ପାଖରେ ୱାର୍କ ସପ୍କୁ ଚାଲିଯାଇଥିଲେ । କିଛି ସମୟ ପରେ ଫେରିବା ବେଳକୁ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗଟି ଶୋ’ କେସ ଉପରେ ନଥିବା ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ବାସୁଦେବପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ସହ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ଘଟଣାର ତଦନ୍ତ ପାଇଁ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସୌରବ ଓତା , ବାସୁଦେବପୁର ଥାନା ଅଧିକାରୀ ସାବିତ୍ରୀ ପଣ୍ଡା, ଏସ୍ଆଇ ଜିତେନ୍ଦ୍ର ନାୟକ, ଲକ୍ଷ୍ମୀକାନ୍ତ ଉପାଧ୍ୟାୟଙ୍କ ସମେତ ଅନ୍ୟ କିଛି ପୋଲିସ କର୍ମଚାରୀଙ୍କୁ ନେଇ ଦୁଇଟି ସ୍ଵତନ୍ତ୍ର ଟିମ ଗଠନ କରାଯାଇ ଲୁଟେରା ମାନଙ୍କୁ ଧରିବାକୁ ଯୋଜନା ହୋଇଥିଲା । ଏହାପରେ ସିସି କ୍ୟାମେରା, ସନ୍ଧାନୀ କୁକୁର ସହାୟତାରେ ପୋଲିସ ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇଥିଲା ।