ଭଦ୍ରକ:ସାମାନ୍ୟ ବର୍ଷା ସହ ପବନରେ ଧସିଗଲା ଅର୍ଦ୍ଧ୍ବନିର୍ମିତ ସ୍କୁଲ ପାଚେରୀ । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାହାବଳପୁର ପଞ୍ଚାୟତରେ । ଆଜି ସାମାନ୍ୟ ବର୍ଷା ସହ ପବନରେ ପଞ୍ଚାୟତର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅର୍ଦ୍ଧନିର୍ମିତ ପାଚେରୀ ପ୍ରାୟ 20 ଫୁଟ ଲମ୍ବର ମାଟିରେ ମିଶିଯାଇଛି । ଯାହାକୁ ନେଇ ଗ୍ରାମବାସୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ ପ୍ରାୟ ଦେଢମାସ ତଳେ ଏହି ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ବିଭାଗ ତଥା ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା । ପିଲର ଖୋଳା ଠାରୁ ଆରମ୍ଭ କରି ଇଟା ଯୋଡେଇ ସମୟରେ ଉପଯୁକ୍ତ ମାନର କାର୍ଯ୍ୟ ହେଉନଥିବା ଦର୍ଶାଯାଇଥିଲା । ପଞ୍ଚାୟତ ପକ୍ଷରୁ 2018-19 ଆର୍ଥିକ ବର୍ଷରେ ରାଜ୍ୟ ଅର୍ଥ ଆୟୋଗ(ସିଏଫସି) ପାଣ୍ଠିରୁ ଉକ୍ତ ବିଦ୍ୟାଳୟର ପାଚେରୀ ନିର୍ମାଣ କରିବା ଲାଗି 4 ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ଜଣାପଡିଛି । ତେବେ ସାମାନ୍ୟ ବର୍ଷାରେ ଏପରି ନବନିର୍ମିତ ପାଚେରୀ ଧସିଯିବା ଠିକାଦାର ଓ ପ୍ରଶାସନର ପାରିଆ ପଣିଆ ଉପରେ ପ୍ରଶ୍ନ ଉଠୁଛି ।