ଭଦ୍ରକ:ଜିଲ୍ଲାର ଚାନ୍ଦବାଲୀ ବ୍ଲକ ସରସ୍ବତୀ ନୋଡ଼ାଲ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ସୋୟାବିନ ତରକାରୀ ଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୁରି ଭୋଜନ । ସ୍କୁଲ ପରିସରରେ ଶିକ୍ଷକମାନେ ଚିଙ୍ଗୁଡ଼ି ମାଛ ଖାଇବା ଘଟଣାରେ ତତ୍ପରତା ପ୍ରକାଶ କରିଛି ବିଭାଗ । ଘଟଣାର କ୍ଷେତ୍ରୀୟ ତଦନ୍ତ କରିବା ସହିତ ରିପୋର୍ଟ ଦାଖଲ କରିବାକୁ ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ ସିଆରସିସିଙ୍କୁ ନିର୍ଦ୍ଦେଶ ହୋଇଛି । ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।
ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ପରିସରରେ ଚିଙ୍ଗୁଡ଼ି ମାଛ ଖାଉଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଚାନ୍ଦବାଲି ବ୍ଲକ କରଞ୍ଜମାଳ ସ୍ଥିତ ସରସ୍ବତୀ ନୋଡାଲ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ସୋୟାବିନ ତରକାରୀ ଦିଆଯାଇଥିଲା ଏବଂ ଶିକ୍ଷକମାନେ ଚିଙ୍ଗୁଡି ମାଛ ଝୋଳ ଖାଉଥିଲେ । ଅଭିଭାବକ ମହଲ ଏହାର ପ୍ରତିବାଦ କରିବାରୁ ସଂପୃକ୍ତ ଶିକ୍ଷକ ଶିକ୍ଷୟତ୍ରୀ ପାଲଟା ଜବାଦ ମଧ୍ୟ ଦେଇଥିଲେ । ''ଆମେ ଖାଇଲେ ସିନା ପିଲାମାନଙ୍କୁ ପାଠ ପଢାଇବୁ'' ବୋଲି କହି ଘଟଣାକୁ ଏଡେଇ ଦେଇଥିଲେ ।