ଭଦ୍ରକ:ଚଳିତ ବର୍ଷ ଓଡ଼ିଶାରୁ ଦୁଇ ଜଣ ଶିକ୍ଷକ 'ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩' ପାଇବା ପାଇଁ ମନୋନୀତ ହୋଇଛନ୍ତି । ସେମାନଙ୍କୁ ମଧ୍ୟରୁ ଅନ୍ୟତମ ଭଦ୍ରକ ଜିଲ୍ଲାର ଶିକ୍ଷକ ଶଶୀ ଶେଖର କରଶର୍ମା । ଶଶୀ ଶେଖର ଭଦ୍ରକ ବନ୍ତ ବ୍ଲକ ଅନ୍ତର୍ଗତ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ । ଶିକ୍ଷା ସହିତ ବିଭିନ୍ନ କ୍ଷେତ୍ରରୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଛନ୍ତି । ଆସନ୍ତା ମାସ ୫ ତାରିଖରେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିବେ ।
ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶିକ୍ଷକ ଶଶୀ ଶେଖର ମହାମହିମଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିବେ । ପୁରସ୍କାର ବାବଦରେ ତାଙ୍କୁ ମାନପତ୍ର ସହ ଅର୍ଥ ରାଶି ପ୍ରଦାନ କରାଯିବ । ଶଶୀ ଶେଖର କରର୍ଶର୍ମା ୪ ବର୍ଷ ହେବ କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ଶିକ୍ଷକତା ବ୍ୟତୀତ ସମାଜସେବା, ରକ୍ତଦାନ ଶିବିର, ବୃକ୍ଷରୋପଣ, ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ବ୍ୟାପକ ପ୍ରଚାର ପ୍ରସାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ।