ଭଦ୍ରକ: ଦିନକୁ ଦିନ ଭଦ୍ରକରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଦିନ 10ଟା ପରଠାରୁ ଅସହ୍ୟ ତାତି ଯୋଗୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ଲୋକେ ନିଜ ଆବଶ୍ୟକତା ପାଇଁ ବାହାରକୁ ବାହାରୁଛନ୍ତି । ତାତି ଏପରି ଯେ ଦିନ ଗୋଟାଏ ବେଳକୁ ରାସ୍ତାଘାଟ ସବୁ ଖାଁ ଖାଁ ହୋଇପଡୁଛି । ହେଲେ ଏଥିପ୍ରତି ଜିଲ୍ଲା ପ୍ରଶାସନର ନିଘା ନାହିଁ ବୋଲି ଅଭିଯୋଗ ହେଉଛି । ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ସକାଳ 10ଟା ବେଳକୁ ପାରଦ 35 ଡିଗ୍ରୀ ହେବା ସହ ଅପରାହ୍ନ ଗୋଟାଏ ବେଳକୁ ତାପମାତ୍ରା 40 ଡିଗ୍ରୀ ଟପୁଛି । ତେଣୁ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହ ଘନ ଘନ ବିଜୁଳି କାଟ୍ ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ବିଗୁଣିତ କରୁଛି । ଅନ୍ୟପକ୍ଷରେ ନା କେଉଁଠି ବସିବା ପାଇଁ ଉପଯୁକ୍ତ ସ୍ଥାନ ଅଛି ନା କେଉଁଠି ଜଳଛତ୍ରର ବ୍ୟବସ୍ଥା ଅଛି । ଲୋକେ ନିଜ ନିଜର ଆବଶ୍ୟକତାକୁ ଲକ୍ଷ୍ୟ କରି ବାହାରକୁ ଆସୁଛନ୍ତି । ବିଶେଷ କରି ଲୋକେ ଛାଇ ପାଇଁ ବ୍ରିଜ ତଳେ କିମ୍ବା ରାସ୍ତା କଡରେ ଥିବା ଦୋକାନମାନଙ୍କରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି ।