ଓଡିଶା

odisha

ETV Bharat / state

ସରକାରଙ୍କ ନିୟମ ଛଡାଇନେଲା ରୋଜଗାର, ଷ୍ଟିକରିଂ ଦୋକାନୀରୁ ସଫଳ ୟୁଟ୍ୟୁବର ସନ୍ତୋଷ

ଏକଦା ରୋଜଗାର ଶୂନ୍ୟ ହୋଇପଡିଥିବା ଯୁବକ ଜଣକ ଏବେ ସଫଳ ଯୁବ ୟୁଟ୍ୟୁବର । ଦୁଇ ମିଲିୟନ ସହ ସବସ୍କ୍ରାଇବର ସହ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 9, 2023, 8:10 PM IST

ସରକାରଙ୍କ ନିୟମ ଛଡାଇନେଲା ରୋଜଗାର, ଷ୍ଟିକରିଂ ଦୋକାନୀରୁ ସଫଳ ୟୁଟ୍ୟୁବର ହେଲେ ସନ୍ତୋଷ
ସରକାରଙ୍କ ନିୟମ ଛଡାଇନେଲା ରୋଜଗାର, ଷ୍ଟିକରିଂ ଦୋକାନୀରୁ ସଫଳ ୟୁଟ୍ୟୁବର ହେଲେ ସନ୍ତୋଷ

ସରକାରଙ୍କ ନିୟମ ଛଡାଇନେଲା ରୋଜଗାର, ଷ୍ଟିକରିଂ ଦୋକାନୀରୁ ହେଲେ ସଫଳ ୟୁଟ୍ୟୁବର

ଭଦ୍ରକ: ରାସ୍ତାକଡରେ ଗାଡିର ନମ୍ବର ପ୍ଲେଟରେ ଷ୍ଟିକରିଂ କରୁଥିଲେ । ହଠାତ୍‌ କେନ୍ଦ୍ର ସରକାର ନୂତନ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବାଧ୍ୟତାମୂଳକ ନିୟମ ବ୍ୟବସାୟ ବନ୍ଦ କରିଦେଲା । ରୋଜଗାରଶୂନ୍ୟ ହୋଇ ଚିନ୍ତାରେ ପଡିଗଲେ ସମସ୍ତ ରାସ୍ତାକଡର ଷ୍ଟିକରିଂ ଦୋକାନୀ । ଏଠି କିନ୍ତୁ ଭିନ୍ନ କଥା ଦେଖିବାକୁ ମିଳିଥିଲା ସନ୍ତୋଷଙ୍କ କ୍ଷେତ୍ରରେ । ସରକାରଙ୍କ ଏଭଳି ଘୋଷଣା ପରେ ସେ ପ୍ରଥମେ ଚିନ୍ତାରେ ପଡିଯାଇଥିଲେ । ପରବର୍ତ୍ତୀ ସମୟରେ ନିଜର କଳାର ବିନିଯୋଗ କରି ୟୁଟ୍ୟୁବ ଚ୍ୟାନେଲ କଲେ । 6 ମାସ ମଧ୍ୟରେ 2.1 ମିଲିୟନରେ ପହଞ୍ଚିଥିଲା ସବକ୍ରିପସନ । ରୋଜଗାର ଧିରେ ଧିରେ ବଢିଲା । ପ୍ରଥମେ 20 ହଜାରରୁ ଆରମ୍ଭ ହୋଇ ଆଜି ମାସକୁ ଲକ୍ଷାଧିକ ଟଙ୍କାରେ ପହଞ୍ଚିଲାଣି । ଯାହା ସେ କେବେ ଭାବିନଥିଲେ ।

ଭଦ୍ରକ ସହର ନିକଟ ଜାନୁଗଞ୍ଜରେ ରୁହନ୍ତି ସନ୍ତୋଷ ମହାରଣା । ବାପା ଗୌରାଙ୍ଗ ମହାରଣା ଜଣେ କାଠ ମିସ୍ତ୍ରୀ । ସନ୍ତୋଷଙ୍କର କଳା ପ୍ରତି ଆଗ୍ରହ ଥିଲା । ପରେ ସେ ଭଦ୍ରକ ଆର୍ଟ କଲେଜରେ ନାମ ଲେଖାଇଲେ । ସେଠାରୁ ବ୍ୟାଚଲର ଅଫ ଭିଜୁଆଲ ଆର୍ଟ୍ସ ପାସ କରିବା ପରେ ରୋଜଗାର ନପାଇ ଚାରିଘରିଆ ଛକରେ ଦୋକନ ଟିଏ କରି ଗାଡିର ନମ୍ବର ପ୍ଲେଟରେ ଷ୍ଟିକରିଂ କରିବା ସହ ଅନ୍ୟାନ୍ୟ ଷ୍ଟିକରିଂ କାମ କଲେ । ଏହି ସମୟରେ କଲେଜର ଜଣେ ସହପାଠୀଙ୍କ ସହ ପ୍ରେମ ବିବାହ ମଧ୍ୟ କଲେ । ପରିବାର ମଧ୍ୟ ବଢିଲା, ହେଲେ ରୋଜଗାର ବଢିଲା ନାହିଁ । ହଠାତ୍‌ କେନ୍ଦ୍ର ସରକାର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗୁ କରିଦେଲେ । ଏହାକୁ ନେଇ ଚିନ୍ତାରେ ପଡିଗଲେ ସମସ୍ତ ଦୋକାନୀ । ସନ୍ତୋଷ ନିଜ ରୋଜଗାର ହରାଇ ୟୁଟ୍ୟୁବ ଚ୍ୟାନେଲଟେ ପ୍ରସ୍ତୁତ କଲେ। ଏଥିରେ ପତ୍ନୀ ସତ୍ୟଭାମା ମଧ୍ୟ ତାଙ୍କୁ ସହଯୋଗ କଲେ ।

SMB Art & Craft ନାମରେ ଚ୍ୟାନେଲ ଚଳାଇଲେ ଏହି ଦମ୍ପତି । ଜାତୀୟ ପତାକାକୁ ଭିନ୍ନ ଭିନ୍ନ ଡିଜାଇନରେ ପ୍ରସ୍ତୁତ କରି ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କଲେ । ସ୍ତ୍ରୀ ସତ୍ୟଭାମା ମଧ୍ୟ ସମାନ ପାଠ ପଢିଥିବାରୁ ସନ୍ତୋଷଙ୍କୁ ସହଯୋଗ ମଧ୍ୟ ମିଳିଲା । ଧିରେ ଧିରେ ୟୁଟ୍ୟୁବର ସବସ୍କ୍ରାଇବର ମଧ୍ୟ ବଢି ବଢି ଚାଲିଲା । ପ୍ରଥମେ କାର୍ଡ ବୋର୍ଡରେ, ପରେ ପରେ ଚାଉଳରେ, ପ୍ଲାଷ୍ଟିକ ଚାମଚରେ, ଆଇସ୍କ୍ରିମ ଚାମଚରେ, ଉଲରେ, ତୁଳାରେ ଜାତୀୟ ପତାକା ତିଆରି କରିବା ସହ ଏହା ପ୍ରଣାଳୀ ଗୁଡିକ ମଧ୍ୟ ଅପଲୋଡ କଲେ । ୟୁଟ୍ୟୁବରେ ଫେବୃୟାରୀ ମାସରେ ଆରମ୍ଭ କରିଥିବା ବେଳେ ତାହା ଭିୟୁର୍ସ ବଢିବା ସହିତ ଏପ୍ରିଲ ମାସରେ ମନିଟାଇଇଜେସନ ହୋଇଗଲା । ରୋଜଗାର ପନ୍ଥା ମଧ୍ୟ ବଢିଲା । ପ୍ରଥମରେ ବିଶ୍ବାସ ହେଉ ନଥିବା ବେଳେ ଧିରେ ଧିରେ ରୋଜଗାର ବଢିବା ସହିତ ଦୁହେଁ ମିଶି ନିଜ ପାଠରେ ବିନିଯୋଗ କରିବା ସହ ଭଳି କି ଭଳି ଡିଜାଇନରେ ଭାରତର ଜାତୀୟ ପତାକା ତିଆରି କରି ଅପଲେୋଡ କଲେ । ଭିୟୁର୍ସ ବଢିଲା, ରୋଜଗାର ମଧ୍ୟ ବଢିଲା । ୟୁ-ଟ୍ୟୁବ ତାଙ୍କୁ ଗୋଲ୍ଟ ଓ ସିଲଭର ମେଡାଲ ମଧ୍ୟ ଦେଲା । ରୋଜଗାର ଆସି ଲକ୍ଷେ ଟଙ୍କାରେ ପହଞ୍ଚିଲା। ଯାହାକୁ ନେଇ ପରିବାର ଲୋକେ ବେଶ ଖୁସିରେ ଏବେ ।

ଏହା ମଧ୍ୟ ପଢନ୍ତୁ:- UAEରୁ 47 ଥର ଲଗଇନ ହୋଇଛି ମୋଇତ୍ରାଙ୍କ ID, 6-4 ଆନୁପାତିକ ବହୁମତରେ ଏଥିକ୍ସ କମିଟିର ଡ୍ରାଫ୍ଟ ଗୃହୀତ

କଲେଜରେ ପଢିବା ବେଳେ ଦୋକାନ କରି ନିଜର ପାଠପଢା ଖର୍ଚ୍ଚ ବହନ କରିବା ସହ ଘରର ସମସ୍ତ ଖର୍ଚ୍ଚ ବହନ କରୁଥିବା ସନ୍ତୋଷ ମଝିରେ ହତୋତ୍ସାହିତ ହେବା ସହ ନିରୂପାୟ ହୋଇ ପଡିଥିଲେ । ଗୋଟିଏ ପଟରେ ପାଠ ଖର୍ଚ୍ଚ ଅନ୍ୟ ପଟରେ ପରିବାର ପ୍ରତି ପୋଷଣ ଉଭୟଙ୍କୁ ସମାନ୍ତରାଳ ଭାବରେ ଚଳାଇବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ସ୍ବାମୀ ଓ ସ୍ତ୍ରୀ ଦୁହେଁ ନିଜର ଶିକ୍ଷାର ସଦୁପଯୋଗ କରି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଏହାକୁ ତ୍ବାରାନ୍ବିତ କରି ଆଗକୁ ବଢାଇବା ପାଇଁ ସଫଳ ଉଦ୍ୟମ ଜାରି ରଖିଛନ୍ତି । ଏହା ତାଙ୍କ ପରିବାର ଲୋକଙ୍କ ମନରେ ମଧ୍ୟ ନୂତନ ଆଶା ସୃଷ୍ଟି କରିଛି । ସନ୍ତୋଷଙ୍କ ଏଭଳି କାର୍ଯ୍ୟ ଏବେ ଯୁବ ସମାଜ ପାଇଁ ପ୍ରେରଣା ପାଲଟିଛି ବୋଲି କହିଛନ୍ତି ସ୍ଥାନୀୟ ଯୁବପିଢି ଏବଂ କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details