ଭଦ୍ରକ: ସ୍କୁଲରେ ପାଣି ପିଇ ଜଣେ ଛାତ୍ର ଓ ଦୁଇ ଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ସ୍କୁଲରେ । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।
ବିଷାକ୍ତ ପାଣି ପିଇ 3 ଛାତ୍ରଛାତ୍ରୀ ଅସୁସ୍ଥ ! - ପାଣି ଟାଙ୍କି
ମଧ୍ୟାହ୍ନରେ ସ୍କୁଲରେ ବିଷାକ୍ତ ପାଣି ପିଇ ଜଣେ ଛାତ୍ର ଓ ଦୁଇ ଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ସ୍କୁଲ ପାଣିଟାଙ୍କିରେ କିଛି ବିଷାକ୍ତ କୀଟ ପଡିବା ଫଳରେ ପାଣି ଦୂଷିତ ହୋଇଥିବା ନେଇ ସନ୍ଦେହ କରାଯାଉଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
ସୂଚନାନୁଯାୟୀ, ଆଜି ମଧ୍ୟାହ୍ନରେ ସ୍କୁଲରେ ଛାତ୍ରଛାତ୍ରୀ ପାଣି ପିଇଥିଲେ । କିଛି ସମୟ ପରେ ସପ୍ତମ ଶ୍ରେଣୀର ଜଣେ ଛାତ୍ର ଏବଂ ଦୁଇ ଜଣ ଛାତ୍ରୀଙ୍କ ଅସୁସ୍ଥ ଅନୁଭବ କରିବା ସହ ସେମାନଙ୍କ ମୁଣ୍ଡ ବୁଲାଇଥିଲା । ସ୍କୁଲ ଛୁଟି ହେବା ପରେ ଘରକୁ ଯାଇଥିଲେ। ଘରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ଅଭିଭାବକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଅବସ୍ଥା ସ୍ଥିର ଥିବାବେଳେ ସ୍କୁଲ ପାଣି ଟାଙ୍କିରେ କିଛି ବିଷାକ୍ତ କୀଟ ପଡିବା ଫଳରେ ପାଣି ଦୂଷିତ ହୋଇ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ