ଭଦ୍ରକ: ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମୁନିସି ପାଟଣା ପ୍ରାଥମିକ ବିଦ୍ୟାଳୟର 16 ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇଥିବା ଖବର ମିଳିଛି । ସମସ୍ତଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖାଦ୍ୟରେ ଝିଟିପିଟି ପଡ଼ିଥିବା ଅଭିଭାବକ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମୁନିସି ପାଟଣା ପ୍ରାଥମିକ ବିଦ୍ୟାଳୟର 16 ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ । ସ୍କୁଲର କିଛି ପିଲା ମଧ୍ୟାହ୍ନ ଭୋଜନ ଖାଇଥିଲେ ଓ କିଛି ପିଲା ଖାଇନଥିଲେ । ଏହାପରେ କିଛି ପିଲା ହଠାତ ଅସୁସ୍ଥ ହୋଇପଡିଥିଲେ । ଖାଦ୍ୟରେ ଝିଟିପିଟି ପଡ଼ିଥିବା ପିଲାମାନେ ଘରେ ଜଣାଇଥିଲେ । ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ଏହା ବି ପଢନ୍ତୁ...ମଧ୍ୟାହ୍ନ ଭୋଜନ ଖାଇ 19 ଛାତ୍ରଛାତ୍ରୀ ଅସୁସ୍ଥ, ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥା ସ୍ଥିର
ଏହି ଘଟଣା ଜଣାପଡ଼ିବା ପରେ ଅନ୍ୟ ଅବିଭାବକମାନେ ଭୟଭୀତ ହୋଇ ସେମାନଙ୍କ ପିଲାମାନଙ୍କୁ ନେଇ ତୁରନ୍ତ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଖାଦ୍ୟରେ ଝିଟିପିଟି ପଡ଼ିଥିବା ନେଇ ବିଦ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନଥିବା ବେଳେ ତଦନ୍ତ ପରେ ଏହି ଘଟଣାର ପ୍ରକୃତ କାରଣ ଜଣାପଡ଼ିବ । ଅନ୍ୟ ପକ୍ଷରେ ଚିକିତ୍ସିତ ହେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।