ଭଦ୍ରକ: ଫକୀର ମୋହନ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟ ଗୁଡ଼ିକରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପ୍ରଥମ ସେମିଷ୍ଟାର ପରୀକ୍ଷା ଅଫଲାଇନରେ କରାଯିବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏନେଇ ଚଳିତ ସେପ୍ଟେମ୍ବର 3 ତାରିଖରେ କର୍ତ୍ତୃପକ୍ଷ ଚିଠି ମାଧ୍ୟମରେ ସମସ୍ତ କଲେଜକୁ ଅବଗତ କରିଥିଲେ।
ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିକୁ ତିହିଡି ବ୍ଲକ ଅଧିନ ପାଳିଆବିନ୍ଧାସ୍ଥିତ ବିଏନଏମଏ କଲେଜର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନେ ବିରୋଧ କରିବା ସହ ଅନଲାଇନରେ ପରୀକ୍ଷା କରିବାକୁ ଦାବି କରିଛନ୍ତି । ଏ ସମ୍ପର୍କରେ ସେମାନେ କଲେଜର ଅଧ୍ୟକ୍ଷଙ୍କ ଜରିଆରେ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଡ଼ମିଶନ ପରଠାରୁ ସେମାନେ କ୍ଲାସରେ ପାଠ ପଢ଼ି ନାହାଁନ୍ତି । ଧର୍ମକୁ ଆଖିଠାର ଭଳି ଅଳ୍ପ କେଇଦିନ ଅନଲାଇନ କ୍ଲାସ କରାଯାଇଛି । କୋରୋନା ପାଇଁ କଲେଜ ବନ୍ଦ ରହୁଥିବାରୁ ଲାଇବ୍ରେରୀ ବହି ଉଠାଇ ପାରି ନଥିବାରୁ ପାଠପଢ଼ାରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଛି ।