ଭଦ୍ରକ:ସ୍କୁଲରୁ ଫେରିବା ବେଳେ ଅଘଟଣ । ଦୁଇ ଜଣ ଛାତ୍ରଙ୍କୁ ଧକ୍କା ଦେଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମଙ୍ଗଳବାର ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅନ୍ତର୍ଗତ ଧାନଘର ନିକଟରେ ଏହି ଅଘଟଣ ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଦୁଇ ଜଣ ଛାତ୍ର ସାଇକେଲ ଯୋଗେ ସ୍କୁଲରୁ ନିଜ ଘରକୁ ଫେରୁଥିଲେ । ସେହି ସମୟରେ ଅପରପାର୍ଶ୍ୱରୁ ଧାନ ବୋଝେଇ ଏକ ଟ୍ରାକ୍ଟର କୌଣସି କାରଣରୁ ଭାରସାମ୍ୟ ହରାଇ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଆଦିତ୍ୟ ଜେନା ନାମକ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଛାତ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ - ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 3 ମୃତ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଏହା ମଧ୍ୟ ପଢନ୍ତୁ - ତାରିଣୀ ଦର୍ଶନ ସାରି ଫେରୁଥିବା ବାଟରେ କାର୍ ଦୁର୍ଘଟଣା, ଜଣେ ମୃତ
ଏହି ଦୁର୍ଘଟଣାକୁ ନେଇ ଉତ୍ୟକ୍ତ ସ୍ଥାନୀୟ ଲୋକେ ଧାନଘର ଛକରେ ବନ୍ତ-ଆଗରପଡା ରାସ୍ତା ଅବରୋଧ କରିଥିଲେ । ଏଥିସହ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ସ୍ଥାନୀୟ ଲୋକେ କାବୁ କରୁଥିବା ସମୟରେ ଦୁର୍ଘଟଣା ଘଟାଇ ଥିବା ଟ୍ରାକ୍ଟରକୁ ଘଟଣାସ୍ଥଳରୁ କେହି ନେଇ ଚାଲି ଯାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ଆଗରପଡା ଥାନା ପୋଲିସ ପହଞ୍ଚିବା ପରେ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲା । ହେଲେ ଉତ୍ୟକ୍ତ ଲୋକମାନେ ଡ୍ରାଇଭରକୁ ଅଟକ ରଖିବା ସହ ମାଲିକ ଏବଂ ଟ୍ରାକ୍ଟର ଆସିଲେ ଡ୍ରାଇଭରକୁ ପୋଲିସ ନେବ ବୋଲି ଦାବି କରିଥିବା ଜଣାପଡିଛି ।
ତେବେ ବ୍ୟାପକ ସଚେତନତା ଓ ସତର୍କ କରାଯିବା ପରେ ମଧ୍ୟରେ ସଡ଼କ ଦୁର୍ଘଟଣା ବଢ଼ି ବଢ଼ି ଚାଲିଛି । ଅଧିକାଂଶ ସଡ଼କ ଦୁର୍ଘଟଣା ମଦ୍ୟପାନ ଓ ଦ୍ରୁତ ଗତିରେ ଗାଡ଼ି ଚାଳନା ପାଇଁ ଘଟୁଛି । ଦ୍ରୁତ ଗତି ସବୁବେଳେ ବିପତ୍ତି ଆଣିଥାଏ । ଏ ଦିଗରେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି । ଗତକାଲି ନୂଆପଡା ଜିଲ୍ଲା 353 ଜାତୀୟ ରାଜପଥ ଗୌତମାଠାରେ ପିକଅଫ ଭ୍ୟାନକୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ପଛରୁ ଧକ୍କା ଦେଇଥିଲା । ଏଥିରେ ୨ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିଲା ।
ଇଟିଭି ଭାରତ, ଭଦ୍ରକ