ଭଦ୍ରକ: ଜିଲ୍ଲା ତିହିଡି ବ୍ଲକ ତାଳପଦା ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପକ୍ଷରୁ ବ୍ଲକ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ବ ମହିଳା ପ୍ରଶାସନ ବିରୋଧରେ ନାରାବାଜି କରିବା ସହିତ ସ୍ଲୋଗାନ ଦେଇଥିଲେ । ପଞ୍ଚାୟତର ମହିଳା ମହାସଂଘ କାର୍ଯ୍ୟକାରୀ ପରିଷଦର କାର୍ଯ୍ୟକାଳ ଗତ ଦୁଇ ବର୍ଷ ହେବ ସମ୍ପୂର୍ଣ୍ଣ ହୋଇଯାଇଥିଲେ ମଧ୍ୟ ମାଷ୍ଟର ବୁକ୍ କିପରଙ୍କ ଦ୍ୱାରା ଉକ୍ତ କମିଟି କାର୍ଯ୍ୟକାରୀ କରାଯାଉଅଛି । ଯାହାକୁ ନେଇ ମହିଳାଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା ।
ନୂତନ ମହିଳା ମହାସଂଘ ଗଠନ କରିବା ଲାଗି ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏନେଇ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା । ମାତ୍ର ଅତି ଚତୁରତା ସହ ବିନା ନୋଟିସରେ ମାଷ୍ଟର ବୁକ କିପର ଙ୍କ ଉଦ୍ୟମରେ ଗତ ୧୭.୯.୨୦ ତାରିଖରେ ମହାସଂଘର ଅଂଶ ଆଞ୍ଚଳିକ ମଞ୍ଚର କାର୍ଯ୍ୟକାରୀ ପରିଷଦ ଗଠନ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା । ଉକ୍ତ ଘଟଣାର ସଭାରେ ଉପସ୍ଥିତ ଥିବା ମାଷ୍ଟର ବୁକ କିପର ଙ୍କ ପଚାରିବାରୁ ସେ ପ୍ରକଳ୍ପ ମ୍ୟାନେଜରଙ୍କ ମୌଖିକ ନିର୍ଦ୍ଦେଶ ମୁତାବକ ଗଠନ କରୁଥିବା ଉତ୍ତର ରଖିଥିଲେ ବୋଲି ଜଣାପଡିଛି । ଯାହାକୁ ନେଇ ଏହି ମହିଳାମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି ।