ଓଡିଶା

odisha

ମରଣାନ୍ତକ ଆକ୍ରମଣ: ଗୋଷ୍ଠୀ ବିବାଦରେ 5 ଆହତ

By ETV Bharat Odisha Team

Published : Dec 1, 2023, 10:15 PM IST

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଉଗ୍ର ବିବାଦ । ମରଣାନ୍ତକ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ସମେତ 5 ଜଣ ଆହତ । 3 ଜଣ ଗୁରୁତର । ଆଗକୁ ପଢ଼ନ୍ତୁ,

ମରଣାନ୍ତକ ଆକ୍ରମଣ
ମରଣାନ୍ତକ ଆକ୍ରମଣ

ମରଣାନ୍ତକ ଆକ୍ରମଣ

ଭଦ୍ରକ:ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଉଗ୍ର ବିବାଦ। ମରଣାନ୍ତକ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ସମେତ 5 ଜଣ ଆହତ । 5 ଜଣ ଆହତ ମାନଙ୍କ ମଧ୍ୟରୁ 3 ଜଣ ଗୁରୁତର । ତେବେ ମରଣାନ୍ତକ ଆକ୍ରମଣ ସମୟର ଭିଡିଓ ପୋଲିସର ହସ୍ତଗତ ହେବା ପରେ ଉଭୟ ପକ୍ଷରୁ 3 ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।

ଭଦ୍ରକ ଜିଲ୍ଲା ତିହିଡି ଥାନା ବୋଡକ ପଞ୍ଚାୟତ ଅନ୍ତର୍ଗତ ନୁନ୍ଦର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଏହି ଉଗ୍ର ଗଣ୍ଡଗୋଳ ଘଟିଛି । ଏହି ଗାଁରେ ପୂର୍ବ ଶତ୍ରୁତାକୁ ନେଇ କିଛି ବର୍ଷ ହେଲା ନରେନ୍ଦ୍ର ତ୍ରିପାଠୀ ଏବଂ ଉମାକାନ୍ତ ତ୍ରିପାଠୀଙ୍କ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ତେବେ କୌଣସି କାରଣକୁ କେନ୍ଦ୍ର କରି ଉମାକାନ୍ତ ତ୍ରିପାଠୀଙ୍କ ଗୋଷ୍ଠୀ ପକ୍ଷରୁ ନରେନ୍ଦ୍ର ତ୍ରିପାଠୀଙ୍କ ଗୋଷ୍ଠୀ ସହିତ ପ୍ରଥମେ ଗଣ୍ଡଗୋଳ କରିଥିଲେ ବୋଲି ଜଣାପଡିଛି । ଯାହାକୁ ନେଇ ନରେନ୍ଦ୍ର ତ୍ରିପାଠୀ ଥାନାରେ ଏତଲା ଦେଇଥିଲେ । ଏନେଇ ପୋଲିସ ସର୍ଜମିନ ତଦନ୍ତ କରୁଥିବା ବେଳେ ମଧ୍ୟ ଉଭୟ ପକ୍ଷ ଉଭୟଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଆସିବାକୁ କହିଥିଲେ । ହେଲେ ପୁଲିସ ସେଠାରୁ ଆସିବା ପରେ ନରେନ୍ଦ୍ର ତ୍ରିପାଠୀଙ୍କ ଗୋଷ୍ଠୀ ଥାନାକୁ ଆସିବା ପାଇଁ ଘରୁ ବାହାରୁଥିବା ବେଳେ ଅପରପକ୍ଷ ବାଡି ଠେଙ୍ଗା ଧରି ଆକ୍ରମଣ କରିଥିଲେ । ଯାହାର ଭିଡିଓ ଦେଖିଲେ ଅମାନୁଷିକର ପ୍ରମାଣ ମିଳିପାରିବ ବୋଲି କୁହାଯାଇପାରେ ।

ଏହା ମଧ୍ୟ ପଢ଼ନ୍ତୁ...ଚନ୍ଦକା ଜଳଖିଆ ଦୋକାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ଘୁଗୁନି ପାଇଁ ମର୍ଡର

ଏହି ଆକ୍ରମଣରେ ନରେନ୍ଦ୍ର ତ୍ରିପାଠୀଙ୍କ ବୃଦ୍ଧା ମାଆ ତୁଳସୀ, ବଡ ଭାଇ ସୁରେନ୍ଦ୍ର ତ୍ରିପାଠୀ, ବୋହୁ ରଶ୍ମିତା ଏବଂ ବର୍ଷା ରାଣୀଙ୍କ ସମେତ ନରେନ୍ଦ୍ର ତ୍ରିପାଠୀଙ୍କୁ ଅପରପକ୍ଷ ପ୍ରାଣଘାତୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିସହ ଥାନାକୁ ଗଲେ ଜୀବନରୁ ମାରିଦେବାକୁ ଅପରପକ୍ଷ ଚେତାବନି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଗଣ୍ଡଗୋଳରେ ଗୁରୁତର ଆହତଙ୍କୁ ପ୍ରଥମେ ତିହିଡି ମେଡିକାଲରେ ଭର୍ତ୍ତୀ କରାଯାଇଥିଲା । ପରେ ଅଧିକ ଗୁରୁତର ହେବାରୁ ବୃଦ୍ଧା ତୁଳସୀଙ୍କୁ ଭଦ୍ରକ ଡାକ୍ତରଖାନାକୁ ଏବଂ ସୁରେନ୍ଦ୍ରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ଅପର ପକ୍ଷର ସମସ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ନରେନ୍ଦ୍ର ତ୍ରିପାଠୀଙ୍କ ସ୍ତ୍ରୀ ବର୍ଷାରାଣୀ ସେନାପତିଙ୍କ ଏତଲାରେ ଦର୍ଶାଯାଇଛି । ଅନ୍ୟପଟେ ଉଭୟ ପକ୍ଷଙ୍କ ଏତଲାକୁ ଭିତ୍ତିକରି ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଏତଲାକୁ ଭିତ୍ତିକରି ତଦନ୍ତ ଜାରି ରହିଛି ଏବଂ ଉଭୟ ପକ୍ଷଙ୍କ ମଧ୍ୟରୁ 3 ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରା ଉଚୁରା କରୁଥିବା ଥାନାରୁ ସୂଚନା ମିଳିଛି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details