ଭଦ୍ରକ:ମର୍ମନ୍ତୁଦ ବସ ଦୁର୍ଘଟଣାରୁ ନିରାପଦରେ ଉଦ୍ଧାର ହେଲେ ସମସ୍ତ ତୀର୍ଥ ଯାତ୍ରୀ । ଭଦ୍ରକ ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ଲୋକମାନଙ୍କ ତୁରନ୍ତ ସାହାଯ୍ଯ ଏବଂ ସହଯୋଗରେ ବିନା ଜୀବନ ହାନୀରେ ସମସ୍ତ ଯାତ୍ରୀମାନଙ୍କୁ ନିରାପଦରେ ଉଦ୍ଧାର କରାଯାଇଥିବା ପୋଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରୁ ଏକ ତୀର୍ଥ ଯାତ୍ରୀବସ ପୁରୀ ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ଭଦ୍ରକ ଅନ୍ତର୍ଗତ ଭଣ୍ଡାରିପୋଖରୀ ୧୬ ନମ୍ବର ଜାତୀୟ ରାଜପଥର ପେଟ୍ରୋଲ ପମ୍ପରୁ କିଛି ଦୂରରେ କୌଣସି କାରଣରୁ ଭାରସାମ୍ୟ ହରାଇ ଜାତୀୟ ରାଜପଥର ବାମ ପାର୍ଶ୍ବକୁ ଓଲଟି ପଡ଼ିଥିଲା ବସ୍ । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ କରିବା ସହ ପୋଲିସ ଓ ଅଗ୍ନୀଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ପୋଲିସ, ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ବିଭାଗ, ଆଞ୍ଚଳିକ ପରିବହନ ବିଭାଗ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ । ଯାତ୍ରୀମାନଙ୍କୁ ନିରାପଦରେ ବସ୍ ଭିତରୁ ସୁରକ୍ଷିତ ଭାବେ ବାହାର କରିଥିଲେ ।
ପରେ ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତ ଯାତ୍ରୀମାନଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହିତ ଗୁରୁତର ଯାତ୍ରୀମାନଙ୍କୁ ସଙ୍ଗେସଙ୍ଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ , 108 ଆମ୍ବୁଲାନସ୍, ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଆମ୍ବୁଲାନସ ଓ ସ୍ଵାସ୍ଥ୍ୟ କର୍ମଚାରୀମାନେ ସମସ୍ତେ ଉଦ୍ଧାର ତଥା ଚିକିତ୍ସା କାର୍ଯ୍ୟରେ ସାମିଲ ହୋଇଥିଲେ ।
ତେବେ ବସରେ ଥିବା ସମୁଦାୟ 60 ଜଣ ଯାତ୍ରୀମାନଙ୍କ ମଧ୍ୟରୁ 41 ଜଣ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 12 ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାସ୍ତର କରାଯାଇଛି । ସେଠାରୁ ସଙ୍କଟାପନ୍ନ ଅବସ୍ତାରେ 2 ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାସ୍ତର କରାଯାଇଥିବା ସୂଚନା ଦେଇଛନ୍ତି ଡାକ୍ତର ।