ଭୁବନେଶ୍ବର: ସୂରଜଙ୍କୁ ଗ୍ରହଣ କଲେ ଧାମନଗରବାସୀ । ଧାମନଗରରେ ବୃହତ ବ୍ୟବଧାନରେ ବିଜୟ ହାସଲ କରିଛି ବିଜେପି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରାୟ ୧୦ ହଜାର ଭୋଟର ବିରାଟ ବ୍ୟବଧାନରେ ବିଜେଡିର ପ୍ରାର୍ଥିନୀ ଅବନ୍ତୀ ଦାସଙ୍କୁ ପରାସ୍ତ କରିଛନ୍ତି । କାମ ଦେଲାନି ନବୀନଙ୍କ ପ୍ରତିଶୃତି ଓ ବିକାଶର ବାର୍ତ୍ତା । ବିରୋଧୀ ପ୍ରାର୍ଥୀଙ୍କୁ ହେୟଜ୍ଞାନର ଫଳ ଭୋଗିଛି ଶଙ୍ଖ ବାହିନୀ । ମୁଖ୍ୟମନ୍ତ୍ରୀ ଧାମନଗରବାସୀଙ୍କ ଜନମତକୁ ସ୍ବୀକାର କରିଥିବା ବେଳେ କଂଗ୍ରେସ କହିଛି, ବିଜେଡିର ଅତ୍ୟଧିକ ଅହଂକାର କାରଣରୁ ଧାମନଗରରେ ଏହି ପତନ ଘଟିଛି ।
କଂଗ୍ରେସ କହିଲା ଲୋକେ ଚାଲାକ ହେଲେଣି
କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଧାମନଗରରେ ଅମାନତ ହରାଇଛନ୍ତି । ସେପଟେ ବିଜେଡିର ତୁଙ୍ଗ ନେତାମାନେ ଏବେ ପରାଜୟର କାରଣ ଖୋଜିବାରେ ଲାଗିପଡିଛନ୍ତି । ଏହାରି ମଧ୍ୟରେ ଶାସକ ଦଳକୁ କଟାକ୍ଷ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ । ସେ କହିଛନ୍ତି, "ନବୀନ ବାବୁ କହୁଛନ୍ତି ଆମେ ଜାଣିଥିଲୁ ବିଜେପି ଧାମନଗରେ ବିଜେପି ଜିତିବ । ତେବେ କାହିଁକି ସେଠାରେ ୪୨ ବିଧାୟକ ଯାଇ ପ୍ରଚାର ଚଳାଇଥିଲେ । ଲୋକେ ନେତାଙ୍କ ଅପେକ୍ଷା ଆହୁରି ଚତୁର ହେଲେଣି । ଧାମନଗରରେ ବିଜେଡିର ଶେଷ ବୈଠକରେ ୧୫ ହଜାର ଲୋକ ଥିଲେ । ଆମେ ରାଲି କଲାବେଳେ ଲାଗୁଥିଲା ବିଜେଡି ଜିତିକି ଅଛି । କିନ୍ତୁ ଗଣତି ବେଳେ ବିଜେପି ବାଜିମାତ କରିଛି । ତେଣୁ କେତେବେଳ କଣ ହେବ କହି ହେବନି ।"
ନିଜ ଦମ୍ରୁ ଜିତିଛୁ କହିଲା ବିଜେପି
ଗତକାଲି ଧାମନଗର ନିର୍ବାଚନ ଫଳାଫଳ ଘୋଷଣା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ । ଦିବଙ୍ଗତ ବିଜେପି ନେତା ବିଷ୍ଣୁ ସେଠି ଲୋକପ୍ରିୟ ଥିଲେ । ତାଙ୍କ ପୁଅଙ୍କୁ ବିଜେପି ଟିକେଟ ଦେଇଥିଲା । ତାଙ୍କ ପୁଅଙ୍କର ଜିତିବାର ସମ୍ଭାବନା ଅଧିକ ଥିଲା ବୋଲି କହିଥିଲେ ନବୀନ । ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି ତାହା ଭାବିଚିନ୍ତି କହି ନାହାନ୍ତି ଦିବଙ୍ଗତ ପରିବାରରୁ ଯଦି କେହି ଛିଡ଼ା ହେଉଛନ୍ତି ତେବେ ବିଜେଡି କାହିଁକି ପ୍ରାର୍ଥୀ ଦେଉଛି ? ସେଠାରେ ବ୍ୟାପକ ଟଙ୍କା ବାଣ୍ଟି ଫେଲ୍ ମାରିଛି ବିଜେଡି । ବିଜେପି ନିଜ ଦମ୍ରେ ଉପନିର୍ବାଚନ ଜିତିଛି । ଏଥିପାଇଁ ଆମେ ଧାମନଗରବାସୀଙ୍କୁ ଧନ୍ୟବାଦ ଦେଉଛୁ ।"