Corruption in mgnrega yojana ଭଦ୍ରକ:ରାସ୍ତା ଗୋଟିଏ କିନ୍ତୁ ବିଲ୍ ଅନେକ। MGNREGA ଯୋଜନାରେ ହେଉଥିବା ରାସ୍ତା ନିର୍ମାଣରେ ଦୁର୍ନୀତିର ଗନ୍ଧ । ପୋଲ୍ ଖୋଲିଦେଲା RTI ତଥ୍ୟ । ଆବଶ୍ୟକ ନଥିବା ସ୍ଥାନରେ ରାସ୍ତା ନିର୍ମାଣ ହୋଇଛି । କିନ୍ତୁ ବିନା ବାଲି, ସିମେଣ୍ଟ ଓ ପିଚୁରେ । କିନ୍ତୁ ବିଲ ହୋଇଛି ଦୁଇଦୁଇ ଥର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁରରେ ଏମିତି ଏକ ଘଟଣା ଦେଖିବା ପାଇଁ ମିଳିଛି । ଗୋଟିଏ ରାସ୍ତାକୁ ଦେଖାଇ ଅନେକ ଥର ଲକ୍ଷଲକ୍ଷ ଟଙ୍କାର ବିଲ୍ ଉଠାଇ ଟଙ୍କା ହଡପ ହୋଇଛି । ସୂଚନା ଅଧିକାର ଆଇନ ଦ୍ୱାରା ମିଳିଥିବା ଦସ୍ତାବିଜ ମାଧ୍ୟମରେ ଏହିପରି ଦୁର୍ନୀତି ହୋଇଥିବା ଜଣାପଡିଛି ।
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ଅଧିନ ବାଟମଙ୍ଗଳା ମନ୍ଦିରଠାରୁ ରଘୁନାଥପୁର ହରିଜନ ସାହି ପର୍ଯ୍ୟନ୍ତ ତିଆରି ହୋଇଛି ରାସ୍ତା । କିନ୍ତୁ ରାସ୍ତାର ଦୃଶ୍ୟ ଦେଖିଲେ ଏହା ନୂତନ ଭାବେ ନିର୍ମାଣ ହୋଇଥିବା ପରି ମନେ ହେଉନାହିଁ । କାହିଁକିନା ରାସ୍ତାରେ ନା ପଡିଛି ପିଚୁ ନା ଅଛି ସିମେଣ୍ଟ । ମାଟି ରାସ୍ତାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇ ଆତ୍ମସାତ ହୋଇଛି ଟଙ୍କା । ଯାହା RTI ତଥ୍ୟରେ ପ୍ରକାଶ ପାଇଛି ।
ତେବେ RTI ଆଇନ ଦ୍ୱାରା ମିଳିଥିବା ସରକାରୀ ଦସ୍ତାବିଜ ଅନୁଯାୟୀ 2020/21ରେ ରୁରାଲ କନେକ୍ଟିଭିଟି ନାଁରେ ପ୍ରଥମ ଥର ରାସ୍ତା କାମ ହୋଇଥିଲା । 7 ଲକ୍ଷ ଟଙ୍କା ବ୍ୟୟରେ 2020 ଡିସେମ୍ବର ମାସ 10 ତାରିଖରେ କାମ ପାଇଁ ଟଙ୍କା ମଞ୍ଜୁର ହୋଇଥିଲା । 515 ଜଣ ଏହି ଯୋଜନାରେ କାମ କରିଥିବା ରିପୋର୍ଟରେ ରହିଛି । 5 ଲକ୍ଷ 91 ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ତେବେ କାମ ସରିଯାଇଥିବା ରିପୋର୍ଟ ଥିବା ବେଳେ ପୁଣି 2021 ମସିହା ମେ ମାସ 12 ତାରିଖରେ ଫେଜ୍ 2 ପାଇଁ 6 ଲକ୍ଷ ଟଙ୍କା ସମାନ ରାସ୍ତା ପାଇଁ ଟଙ୍କା ମଞ୍ଜୁର ହୋଇଛି । ଏଥିରେ ମଧ୍ୟ ଡିସେମ୍ବର ମାସ ସୁଦ୍ଧା 209 ଜଣ କାମ କରୁଥିବା ଦର୍ଶାଇ 2 ଲକ୍ଷ 92 ହଜାର ଟଙ୍କା ରୁ ଅଧିକ ଟଙ୍କା ସରକାରୀ ତହବିଲରୁ ଉଠାଯାଇଛି । କିନ୍ତୁ ରାସ୍ତା ଦେଖିଲେ ଲାଗୁ ନାହିଁ ଯେ ଏହି ରାସ୍ତାରେ ଯେମିତି ମୁଠାଏ ମାଟି ମଧ୍ୟ ପଡ଼ିଥିବ । ସ୍ଥାନୀୟ ବାସିନ୍ଦା ମୁତାବକ ଏହି ରାସ୍ତାର କୌଣସି ଆବଶ୍ୟକତା ନାହିଁ । ତେବେ ଟଙ୍କାଆତ୍ମସାତ କରିବା ପାଇଁ ଏମିତି ଉପାୟ କରାଯାଇଛି ।
ସୂଚନା ଅଧିକାର ଆଇନରେ ସମାନ ରାସ୍ତା ପାଇଁ ଏକାଧିକ ଥର ବିଲ୍ ଉଠିଥିବା ସୂଚନା ପରେ ସ୍ଥାନୀୟ ଜନସାଧାରଣ ବିଡ଼ିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଛନ୍ତି । କିନ୍ତୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି । ତେବେ ଏହି ରାସ୍ତା ଭଳି ଅନେକ ରାସ୍ତା ପଞ୍ଚାୟତରେ ତିଆରି ହୋଇଛି ଓ ମିଛ ବିଲ୍ ହୋଇ ଟଙ୍କା ଉଠାଯାଇଥିବା କୁହନ୍ତି ସ୍ଥାନୀୟ ନେତୃତ୍ୱ । ତେବେ ଏପରି କାମକୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କଠାରୁ କନିଷ୍ଠ ଯନ୍ତ୍ରୀ ସାମିଲ ଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ଏନେଇ ଆମେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ, ଜିଲ୍ଲାପାଳ କହିଛନ୍ତି, "ଏହି ଘଟଣା ବିଷୟରେ ଆମେ ଏବେ ଜାଣିଲୁ, ଏବେ ତଦନ୍ତ କରାଯିବ ଓ ପରେ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।" ଖାଲି ଦେଖିବାକୁ ବାକି ରହିଲା ଏହି ଦୁର୍ନୀତି ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ଇଟିଭି ଭାରତ, ଭଦ୍ରକ