ଭଦ୍ରକ:ପୂରଣ ହେଲା ଦୀର୍ଘ ଦିନର ଦାବି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକରେ ଦୁଇଟି ରାସ୍ତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହ ଆରମ୍ଭ ହେଲା କାର୍ଯ୍ୟ । 110 କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦରେ ଏହି ରାସ୍ତା କାମ ଆରମ୍ଭ ହୋଇଛି । ଛତାବର ନିଳକ ଓ ଛତାବର ବାଲିଘାଇ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।
ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଉପସ୍ଥିତିରେ ଏହି ଦୁଇ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଛତାବରରୁ ନୀଳକ ପର୍ଯ୍ୟନ୍ତ ରାସ୍ତା ପାଇଁ 25 କୋଟି ଟଙ୍କା ଓ ଛତାବରରୁ ବଳିଘାଇ ପର୍ଯ୍ୟନ୍ତ ରାସ୍ତା ପାଇଁ 85.7 କୋଟି ଟଙ୍କା ବ୍ୟୟରେ ଚାରି ଲେନ ବିଶିଷ୍ଟ ଏହି ରାସ୍ତା ନିର୍ମାଣ ହେବ । ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ରାସ୍ତା କାର୍ଯ୍ୟ ସମାପ୍ତ ହେବ। ଦୀର୍ଘ ଦିନ ଧରି ଭଣ୍ଡାରିପୋଖରୀ ଅଞ୍ଚଳବାସୀ ଏହି ରାସ୍ତାକୁ ନେଇ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏନେଇ ବାରମ୍ବାର ଅଭିଯୋଗ ମଧ୍ୟ କରୁଥିଲେ । ଶେଷରେ ଗ୍ରାମବାସୀଙ୍କ ଦାବି ପୂରଣ ହୋଇଛି । ରାସ୍ତା ପାଇଁ ଅର୍ଥ ମଞ୍ଜୁର ପରେ ମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏନେଇ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, ''ଭଦ୍ରକରେ ଅନେକ ଭଲ ରାସ୍ତା ରହିଛି, ଯେଉଁ ରାସ୍ତା ଖରାପ ଥିଲା ତାହାର କାର୍ଯ୍ୟ ଏବେ ଆରମ୍ଭ ହୋଇଛି । ଲୋକେ ଭଲ ରାସ୍ତାରେ ଚାଲିବେ, ଲୋକଙ୍କ ଯେତେ ଉନ୍ନତି ହେବ ବିକାଶ ସେତିକି ଆଗକୁ ଯିବ । ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ଗମନାଗମନ ପାଇଁ ରାସ୍ତା ଭଲ ଅଛି । ଯଦି ଆପଣ ମାନେ ଆମକୁ କେଉଁଠି ରାସ୍ତା କାମ ଖରାପ ଅଛି କହିଲେ ଆମେବି ଯଥାଶୀଘ୍ର ପଦକ୍ଷେପ ନେବୁ । ''