ଓଡିଶା

odisha

ETV Bharat / state

ବସ-ଟ୍ରକ ମୁହାଁମୁହିଁ: 2 ମୃତ, 30ରୁ ଊର୍ଦ୍ଧ୍ବ ଆହତ - ଭଦ୍ରକ ଟାଉନ ଥାନା ବନ୍ତ ଛକ

ଭଦ୍ରକ ଟାଉନ ଥାନା ବନ୍ତ ଛକ ନିକଟରେ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା । ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 30ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

accident-at-bhadarak
accident-at-bhadarak

By

Published : Jan 3, 2020, 6:56 AM IST

Updated : Jan 3, 2020, 10:25 PM IST

ଭଦ୍ରକ: ଜିଲ୍ଲା ଧାମନଗରରେ ହେଉଥିବା ପୀରବାବା ହଜୁର ମୁଜାହିଦଇ ମିଲ୍ଲତଙ୍କର 40ତମ ଉର୍ସ ପର୍ବରେ ଜିଲ୍ଲା ତଥା ରାଜ୍ୟ ବାହାରୁ ଅନେକ ସଂଖ୍ୟାରେ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲେ। ବିଧିର ବିଡମ୍ବନା । ଭଦ୍ରକ ରେଳ ଷ୍ଟେସନ ଅଭିମୁଖେ ଆସୁଥିବା ଏକ ଉର୍ସ ପର୍ଯ୍ୟଟନ ଯାତ୍ରୀବାହି ବସ୍‌ଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇ ପାଖ ଡିଭାଇଡରରେ ପିଟି ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 30 ଜଣ ଆହତ ହୋଇଛନ୍ତି ।

ଭଦ୍ରକ ବନ୍ତ ଛକରେ ବସ-ଟ୍ରକ ମୁହାଁ ମୁହିଁ ଧକ୍କା

ଉର୍ସ ପର୍ବରେ ଯାତ୍ରୀମାନଙ୍କ ଯାତାୟାତ ସୁବିଧା ନିମନ୍ତେ ଧାମନଗରରୁ ଭଦ୍ରକ ରେଳ ଷ୍ଟେସନ ପର୍ୟ୍ୟନ୍ତ ବସ ଯୋଗେ ପରିବହନ ବ୍ୟବସ୍ଥା କରାଯାଇଥିଲା। ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ବନ୍ତ ଛକ ନିକଟରେ, ଧାମନଗର ଉର୍ସ ପର୍ବରୁ ଯାତ୍ରୀଙ୍କୁ ନେଇ ଭଦ୍ରକ ରେଳ ଷ୍ଟେସନ ଅଭିମୁଖେ ଭୋରୁ ଫେରୁଥିବା ଏହି ବସ ସହ ଏକ ଟ୍ରକ ସାମ୍ନା ପଟୁ ଧକ୍କା ହୋଇଥିଲା। ଫଳରେ ଭରପୁର ଥିବା ଏହି ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲ। ଜାତୀୟ ରାଜପଥ ସମ୍ପ୍ରସାରଣ ଚାଲୁଥିବାରୁ ଗୋଟିଏ ରୁଟରେ ଟ୍ରକଟି ବିପରୀତ ଦିଗରୁ ଆସୁଥିଲା। ତେବେ ଏକ ବାଇକକୁ ବଞ୍ଚାଇବା ପାଇଁ ଟ୍ରକ ବସ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି।

ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଥିଲା ଓ 30 ଜଣ ଆହତ ହୋଇଥିଲେ। ଆହତ ଓ ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା ଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତ ମୃତାହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଏହି ଦୁର୍ଘଟଣାରେ ବସ ଡ୍ରାଇଭର ସମେତ ଅନେକ ଯାତ୍ରୀ ଚାପି ହୋଇଥିବା ଜଣାପଡିଛି। ସେମାନଙ୍କୁ ଅଗ୍ନିଶମ ବାହିନୀ ଦୀର୍ଘ ତିନି ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗ୍ୟାସ କଟର ସାହାଯ୍ୟରେ କାଟି ଉଦ୍ଧାର କରିଥିଲେ। ମୃତକ ଦୁଇଜଣ ହେଲେ ଭଦ୍ରକ ଜିଲ୍ଲା ମିର୍ଜାପୁର ଆଞ୍ଚଲର ଏସ କେ ନିଜାମୁଦ୍ଦିନ ଓ ବିଶାଖାପାଟନମ୍ ଶିବାଜିପାଳନ ଆଞ୍ଚଲର ଈଦୃଶ ବଶା ସାଏଦ ବୋଲି ସୂଚନା ମିଳିଛି।

ଆହତଙ୍କ ସଂଖ୍ୟା 30 ହୋଇଥିବା ବେଳେ 10 ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରେ 4 ଜଣ ଶିଶୁ ଓ 8 ଜଣ ମହିଳା ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଭଦ୍ରକ ଟାଉନ ଥାନା ପୋଲିସ, ଅଗ୍ନିଶମ ବାହିନୀ, 5ଟି 108 ଆମ୍ବୁଲାନ୍ସ ସାହାଯ୍ୟରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ବସରେ ଥିବା ସମସ୍ତ ତୀର୍ଥଯାତ୍ରୀ ପର୍ବ ପାଇଁ ବିଭିନ୍ନ ଅଞ୍ଚଳରୁ ଧାମନଗରକୁ ଆସିଥିବା ଜଣାପଡିଛି ।

ଏନେଇ ଖବର ପାଇ ଭଦ୍ରକ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଭଦ୍ରକ ଏସପିଙ୍କ ସମେତ ଭଦ୍ରକ ବିଧାୟକ ଆହତଙ୍କୁ ଭେଟିଛନ୍ତି। ସମସ୍ତ ଆହତ ଓ ଗୁରୁତରଙ୍କୁ ରେଡକ୍ରସ ତରଫରୁ ସହାୟତା ଯୋଗାଇ ଦିଆଯିବ ଓ ସମସ୍ତଙ୍କ ଚିକିତ୍ସା ଖର୍ତ୍ତ ସରକାର ବହନ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ, ଭଦ୍ରକ ଜିଲ୍ଲା ମିର୍ଜାପୁର ଆଞ୍ଚଲର ମୃତକ ଏସ କେ ନିଜାମୁଦ୍ଦିନଙ୍କୁ ଦୁଇ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଦୁର୍ଘଟଣାରେ ପୀଡିତ ସମସ୍ତଙ୍କୁ ସ୍ଵତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯାଉଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Jan 3, 2020, 10:25 PM IST

ABOUT THE AUTHOR

...view details