ଭଦ୍ରକ:ହିନ୍ଦୁ ଧର୍ମର ପୂଜାପର୍ବାଣୀ ମଧ୍ୟରୁ ଏକ ମହାନ ପର୍ବ ଶ୍ରୀରାମ ନବମୀ । ଏହି ପବିତ୍ର ପର୍ବ ପାଳନ କ୍ଷେତ୍ରରେ ଭଦ୍ରକ ଜିଲ୍ଲାର ଏକ ବିଶେଷତା ରହିଛି । ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି ପର୍ବ ଆଜି ଗଣପର୍ବରେ ପରିଣତ ହୋଇଛି । ଜୟ ଶ୍ରୀରାମ ଧ୍ଵନି ସହ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇଯାଏ ଭଦ୍ରକ ସହରର ପରିବେଶ । ଭଦ୍ରକର ଏହି ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ ଆସନ୍ତା ମାର୍ଚ୍ଚ 30 ତାରିଖରେ ପାଳିତ ହେବ । ଚଳିତ ବର୍ଷ ଆହୁରି ଅଧିକ ଚିତାକର୍ଷକ ଭାବରେ ଅନୁଷ୍ଠିତ ହେବ ବୋଲି ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି ।
ଶୁକ୍ରବାର ଶ୍ରୀରାମ ନବମୀ ମହାଯଜ୍ଞ ସମିତି ପକ୍ଷରୁ ମହୋତ୍ସବର ସମସ୍ତ କାର୍ଯ୍ୟକ୍ରମର ବିଷଦ ବିବରଣୀ ଘୋଷଣା କରାଯାଇଛି । ଚଳିତ ମାର୍ଚ୍ଚ ମାସ 12 ତାରିଖରେ ମାତୃଭୂମି ପାଇଁ ଗଣଦୌଡ଼, 22 ତାରିଖରେ ରାଷ୍ଟ୍ରୀୟ ନବବର୍ଷ ପାଳନ ସହ ଗୋ ପୂଜନ ଓ ସାଧୁ ସନ୍ଥ ପୂଜନ, 26 ତାରିଖରେ ବାଲ ବଜରଙ୍ଗୀଙ୍କ ସାଇକେଲ ଶୋଭାଯାତ୍ରା, 28 ମାର୍ଚ୍ଚରେ ମହିଳା କଳସ ଶୋଭାଯାତ୍ରା, ଆଜ୍ଞାମାଳ ଯାତ୍ରା ସହିତ ଶ୍ରୀରାମ ନବମୀ ମହାଯଜ୍ଞ ଆରମ୍ଭ ହେବ । ମାର୍ଚ୍ଚ 29 ତାରିଖରେ 108 ହନୁମାନ ଚାଳିଶା ପାଠ କରାଯିବ। ମୁଖ୍ୟତଃ ମାର୍ଚ୍ଚ 24 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ 7 ଦିନ ବ୍ୟାପୀ ଗାନ୍ଧି ପଡ଼ିଆରେ ମୀନାବଜାର ଏବଂ ସନ୍ଧ୍ୟାରେ ବିଭିନ୍ନ ଆଧ୍ୟାତ୍ମିକ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି ।