ମଣ୍ଡିରେ ପଡିରହି ଗଜା ହୋଇଗଲା କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ, ଚିନ୍ତାରେ ଚାଷୀ ଭଦ୍ରକ:ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ମଣ୍ଡି ସମସ୍ୟା । କେଉଁଠି ଧାନ ପଡି ଗଜା ହେଲାଣି ତ କେଉଁଠି ଧାନ ନଉଠିବାକୁ ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ । ତେବେ ଭଦ୍ରକରେ ତିହିଡିରେ ଧାନ କିଣିବା ସମୟ ସରି ଯାଇଛି । ହେଲେ ଚାଷୀଙ୍କ ପରେ ଏବେ ଚିନ୍ତାରେ ସେବା ସମବାୟ ସମିତି । ଧାନ ଲିପ୍ଟିଂରେ ମିଲରମାନଙ୍କ ମନମାନି ଯୋଗୁଁ ସେବା ସମବାୟ ସମିତି କ୍ଷତି ସହିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଲିପ୍ଟିଂ ହୋଇଥିବା ଧାନ ସବୁ ଏବେ ଗଜା ବାହାରି ନଷ୍ଟ ହୋଇଗଲାଣି । ଯାହାକୁ ନେଇ ଚିନ୍ତାରେ ସେବା ସମବାୟ ସମିତି ।
ଏହି ଘଟଣା ମଧ୍ୟରେ ସଠିକ ସମୟରେ ଚାଷୀମାନେ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଧାନ ଦେବା ପାଇଁ ପଞ୍ଜିକୃତ ହୋଇଥିବା ଚାଷୀମାନେ ଟୋକନ ପାଇବା ପରେ ସେବା ସମବାୟ ସମିତି ଠାରେ ନିର୍ଦ୍ଧାରିତ ମଣ୍ଡିରେ ଧାନ ବିକିଛନ୍ତି । ମାତ୍ର ମିଲରମାନେ ଠିକଣା ସମୟରେ ମଣ୍ଡିରୁ ଧାନ ଲିପ୍ଟିଂ କରୁନଥିବା ଅଭିଯୋଗ ହୋଇଛି । ଆଇ ସ୍କାନ କରିବା ପରେ ଚାଷୀମାନଙ୍କୁ ଚିଠା ମିଳିଯାଉଛି ହେଲେ ଟଙ୍କା ମିଳିବାରେ ସମସ୍ୟା ଦେଖା ଦେଉଛି ।
ମିଲରମାନଙ୍କ ଦାୟୀତ୍ବହୀନ କାର୍ଯ୍ୟ ପାଇଁ ସମବାୟ ସମୀତିରେ ଧାନ ପଡିପଡି ଗଜା ହେଉଥିବା ଆଭିଯୋଗ କରିଛନ୍ତି ମବାୟ ସମିତି ଦାୟିତ୍ଵରେ ଥିବା ପର୍ଚେଜ ଅଫିସର । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ବାମନବିନ୍ଧା ସେବା ସମବାୟ ସମିତିରେ ଧାନରେ ଗଜା ହୋଇଥିବା ଦେଖିବାକୁ ମିଳିଛି । ସେଠାରେ ପଡି ରହିଛି ବିକ୍ରି ପାଇଁ ଅଯୋଗ୍ୟ ହୋଇଯାଇଛି ଧାନ ।
ତେବେ ପର୍ଚେଜ ଅଫିସର କହିଛନ୍ତି, ‘‘ପଶ୍ଚିମା ଝଡରେ ବାହାରେ ପଡି ରହିଥିବା ଏହି ଧାନ ସବୁ ନଷ୍ଟ ହୋଇ ଯାଇଛି । ଗୋଦାମ ଗୃହ ନଥିବା ଏହି ମଣ୍ଡିରେ ପ୍ରାୟ ଦୁଇ ଶହ ବସ୍ତା ଧାନ ଏଣେ ତେଣେ ନଷ୍ଟ ହୋଇ ପଡିରହିଛି । ଅଧିକାଂଶ ଗଜା ହୋଇଥିବା ବେଳେ କେତେକ ବସ୍ତା ମାଟିରେ ମିଶିଛି । ଯାହାକୁ ସଫା କରି ପୁଣି ବିକ୍ରି ଯୋଗ୍ୟ କରିବା କଷ୍ଟକର।’’ ଏହି ମଣ୍ଡିରେ ପ୍ରାୟ ଦେଢ ଶହ କ୍ବିଣ୍ଟାଲ ଧାନ ନଷ୍ଟ ହେବାର ଆକଳନ କରାଯାଉଛି । ଏନେଇ ସେବା ସମବାୟ ସମିତି ମୁଣ୍ଡରେ ଚଡକ ପଡିଛି । ତେବେ ପ୍ରଶାସନ ପକ୍ଷରୁ ଏହାର ଭରଣା କରାନଗଲେ ଆଗାମୀ ବର୍ଷରେ ମଣ୍ଡି ଖୋଲିବା ସମ୍ଭବପର ନୁହଁ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ସେବା ସମବାୟ ସମିତି ଦାୟିତ୍ଵରେ ଥିବା ପର୍ଚେଜ ଅଫିସର ।
ଇଟିଭି ଭାରତ, ଭଦ୍ରକ