ଭଦ୍ରକ:ବିନା ନୋଟିସରେ ଶ୍ରମିକମାନଙ୍କୁ ଛଟେଇ । ଧାମରା ପୋର୍ଟର ଏକ ଘରୋଇ କମ୍ପାନୀ ଶ୍ରମିକମାନଙ୍କୁ ଛଟେଇ କରିଛି । ତେବେ ନୋଟିସ ନଦେଇ ଛଟେଇ କରାଯିବାକୁ ପ୍ରତିବାଦ କରିବା ସହ କ୍ଷତିପୂରଣ ପାଇଁ ଶ୍ରମିକମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ନିୟମ ଅନୁଯାୟୀ କମ୍ପାନୀ କ୍ଷତିପୂରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଅର୍ଥ ପ୍ରଦାନ କରିନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ କ୍ଷତିପୂରଣ ଦାବିରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟିଛନ୍ତି ।
ଅଭିଯୋଗ ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମରା ପୋର୍ଟରେ ଏକ ଘରୋଇ କମ୍ପାନୀ ମାଧ୍ୟମରେ କାର୍ଯ୍ୟ କରୁଥିବା କିଛି ଶ୍ରମିକଙ୍କୁ ଛଟେଇ କରାଯାଇଛି । ହେଲେ ସେମାନଙ୍କୁ କାହିଁକି ଛଟେଇ କରାଯାଇଛି ସେନେଇ କାର୍ଯ୍ୟରତ ଶ୍ରମିକମାନେ ଜାଣି ନଥିବା କହିଛନ୍ତି । ଏଥିସହ କମ୍ପାନୀ ତରଫରୁ ବିନା ନୋଟିସରେ ଛଟେଇ କରାଯିବା ପରେ ନିୟମ ଅନୁଯାୟୀ କ୍ଷତିପୂରଣ ରାଶି ମଧ୍ୟ ପ୍ରଦାନ କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି ।
ଏନେଇ ପୀଡିତ ଶ୍ରମିକମାନେ ପୂର୍ବରୁ ଭଦ୍ରକ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିବା ସତ୍ତ୍ୱେ କୌଣସି ସୁଫଳ ମିଳି ନଥିଲା । ଏବେ ପୁଣି ଥରେ ଶ୍ରମ ଅଧିକାରୀଙ୍କୁ ଭେଟି କ୍ଷତିପୂରଣ ଦାବି କରିଛନ୍ତି ଛଟେଇ ହୋଇଥିବା ଶ୍ରମିକ । ଯଦି ଶ୍ରମ ବିଭାଗ ପକ୍ଷରୁ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରା ନଯାଏ ତେବେ ସେମାନେ ପରବର୍ତ୍ତୀ ସମୟରେ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଘଟଣାକୁ ନେଇ କମ୍ପାନୀ କିମ୍ବା ଜିଲ୍ଲା ଶ୍ରମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।