ଓଡିଶା

odisha

ETV Bharat / state

ସାମ୍ବାଦିକଙ୍କ ଅମାନୁଷିକ କାଣ୍ଡ: ବାପାମାଆଙ୍କୁ ନିର୍ଯାତନାର ଭିଡିଓ ଭାଇରାଲ, ଥାନାରେ ଅଟକ - ସାମ୍ବାଦିକ ମୋହନ ମହାକୁଡ ଅଟକ

ସାମ୍ବାଦିକଙ୍କ ଅମାନୁଷିକ କାଣ୍ଡ । ବାପାମାଆଙ୍କୁ ନିର୍ଯାତନାର ଭିଡିଓ ଭାଇରାଲ ପରେ ଥାନାରେ ଅଟକ । ଅଧିକ ପଢନ୍ତୁ

police detained journalist
police detained journalist

By

Published : May 18, 2023, 3:59 PM IST

ସାମ୍ବାଦିକଙ୍କ ଅମାନୁଷିକ କାଣ୍ଡ

ଭଦ୍ରକ: ବାପା ଭାବିଥିଲେ ପୁଅକୁ ବଡ଼ କରି ଜଣେ ଗଣମାଧ୍ୟମ ପ୍ରତିନିଧି କରିବି । ସମସ୍ତ ଖବରକୁ ଲୋକଲୋଚନକୁ ଆଣିବ ଏବଂ ସମାଜ ପାଇଁ କାମ କରିବ । ସମାଜରେ ଅନ୍ୟାୟ ଅତ୍ୟାଚାର ତଥା ଅବହେଳିତ ଲୋକଙ୍କ ପାଇଁ ଲଢେଇ କରିବ । ହେଲେ ଯେଉଁ ପୁଅ ଘରୋଇ କଳିକୁ ନେଇ ଖବର କରୁଥିବା ସେହି ପୁଅ ଯେ ଦିନେ ଏହାକୁ କାର୍ଯ୍ୟରେ କରି ଦେଖାଇବ ତାହା କେବେ ବାପା ହୋଇ ଭାବି ପାରିନଥିଲେ । ଏଭଳି ଏକ ନିନ୍ଦନୀୟ ଖବର ସାମ୍ନାକୁ ଆସିଛି ଭଦ୍ରକରୁ । ବୃଦ୍ଧ ପିତାଙ୍କୁ ଜଣେ ବୈଦ୍ୟୁତିକ ଗଣମାଧ୍ୟମରେ କାମ କରୁଥିବା ପୁଅର ଅତ୍ୟାଚାରର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶେଷରେ ଭାଇରାଲ ଭିଡିଓ ଦେଖି ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । ସାମ୍ବାଦିକ ପୁଅର ନାମ ମୋହନ ମହାକୁଡ ବୋଲି ଜଣାପଡିଛି ।

ବାସୁଦେବପୁର ପୌରାଞ୍ଚଳ ଅଧିନ ବାଲିନଗର ଗ୍ରାମରେ ବସବାସ କରୁଥିବା ବୃଦ୍ଧ ଗୌରୀ ମହାକୁଡଙ୍କୁ ତାଙ୍କ ପୁଅ ତଥା ସାମ୍ବାଦିକ ମୋହନ ମହାକୁଡଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ନଳକୂପ ସ୍ଥାପନକୁ କେନ୍ଦ୍ର କରି ଝଗଡା ହୋଇଥିବା ଜଣାପଡିଛି । ତେବେ ଏହି ବଚସା ପରବର୍ତ୍ତୀ ସମୟରେ ଉଗ୍ରରୂପ ଧାରଣ କରିଥିଲା । ଭଗବାନ ସମାନ ବାପାଙ୍କୁ ବାରମ୍ବାର ଗୋଇଠା ମାରିବା ସହ ବାଡିରେ ପିଟିଥିଲେ । ଅନ୍ୟପଟେ ଜନ୍ମଦାତ୍ରୀଙ୍କୁ ମଧ୍ୟ ଛାଡିନଥିଲେ ସାମ୍ବାଦିକ ଜଣକ । ବାପାଙ୍କୁ ମାରୁଥିବା ବେଳେ ଅଟକାଇବାରୁ ତାଙ୍କୁ ମଧ୍ୟ ମାଡ ମାରିବା ସହ ଗାଳିଗୁଲଜ କରିଥିଲେ । ଏଥିସହ ସାମ୍ବାଦିକଙ୍କ ସ୍ତ୍ରୀ ଯିଏକି ଜଣେ ଖେଳ ଶିକ୍ଷୟତ୍ରୀ ଭାବେ ଚାକିରି କରନ୍ତି, ସେ ମଧ୍ୟ ବୃଦ୍ଧା ମାଆଙ୍କୁ ବାଡିରେ ପିଟି ଚାଲିଥିଲେ । ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

କହିରଖୁଛୁ କି, ସମାଜରେ ସାମ୍ବାଦିକଙ୍କୁ ଚତୁର୍ଥ ସ୍ତମ୍ଭ କୁହାଯାଏ । ସେ ନିଜକୁ ଶୃଙ୍ଖଳିତ ହେବା ସହିତ ସମାଜରେ ଅନ୍ୟାୟ ଅତ୍ୟାଚାର ତଥା ଅବହେଳିତ ଲୋକଙ୍କ ପାଇଁ ଲଢେଇ କରିଥାଏ । ହେଲେ ଜଣେ ଗଣମାଧ୍ୟମ ପ୍ରତିନିଧି ନିଜ ବୃଦ୍ଧ ବାପାଙ୍କୁ ଗୋଇଠା ପରେ ଗୋଇଠା ମାରିବା ହୃଦୟ ବିଦାରକ ଦୃଶ୍ୟ ଏ ମୋବାଇଲରୁ ସେ ମୋବାଇଲକୁ ଏବେ ଘୁରି ବୁଲୁଛି । ଯାହାକି ବାସୁଦେବପୁର ବ୍ଲକର ଏହି ସାମ୍ବାଦିକ ଜଣକ ସବୁ ସୀମା ପାର କରି ନିଜର ସ୍ୱାର୍ଥ ପାଇଁ ଜନ୍ମ କଲା ପିତା ମାତାଙ୍କୁ ମାନସିକ ଏବଂ ଶାରିରୀକ ନିର୍ଯାତନା ଦେବା ଅତ୍ୟନ୍ତ ବିଡ଼ମ୍ବନାର ବିଷୟ ସାଜିଛି ।

ମିଳିଥିବା ସୂଚନା ମୁତାବକ, ପୂର୍ବରୁ ସଂପୃକ୍ତ ସାମ୍ବାଦିକ ଜଣକ ଏହି ବୃଦ୍ଧ ପିତାମାତାଙ୍କୁ ବହୁବାର ଗାଳି ଗୁଲଜ କରି ମାନସିକ ତଥା ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ । ଏନେଇ ଥାନାରେ ମଧ୍ଯ ମାମଲା ରୁଜୁ ହୋଇଥିଲେ ହେଁ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିଲା । ତେବେ ଏହି ଘଟଣାରେ ପୋଲିସ କି ପ୍ରକାର ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details