ଭଦ୍ରକ: ଶିକ୍ଷାକ୍ଷେତ୍ରରେ ବିପତ୍ତି । 200ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେଉଛନ୍ତି 2 ଜଣ ଶିକ୍ଷକ । ଛତ୍ରଛତ୍ରୀଙ୍କୁ 2 ଜଣ ଶିକ୍ଷକ ଶିକ୍ଷା ଦାନ କରୁଥିବା ଘଟଣାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ । ପ୍ରତିବାଦ କରି ବିଦ୍ୟାଳୟରେ ତାଲା । ଛାତ୍ରଛାତ୍ରୀମାନଙ୍କ ସହ ଧାରଣାରେ ବସିଲେ ଅଭିଭାବକ । ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ବିଦ୍ୟାଳୟ ଗୁଡ଼ିକୁ 5T ରୂପାନ୍ତରିତ ଯୋଜନାରେ ଅନ୍ତର୍ଭୁକ୍ତ କରାଉଛନ୍ତି । ମାତ୍ର ଶିକ୍ଷକ ଅଭାବରୁ ଶିକ୍ଷାଦାନ କ୍ଷେତ୍ରରେ ବିଦ୍ୟାଳୟରେ ବର୍ଷବର୍ଷ ଧରି ବାଧା ସୃଷ୍ଟି ହୋଇଛି । ଯାହାକୁ ନେଇ ବିଦ୍ୟାଳୟ ଫାଟକରେ ତାଲା ପକାଇ ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ରମ୍ବିଲା ଉଚ୍ଚ ବିଦ୍ୟାଳୟରେ ।
ଖବର ଅନୁଯାୟୀ ଜିଲ୍ଲା ଶିକ୍ଷା ବିଭାଗର ଏହିପରି କାଳକ୍ଷେପଣ ନୀତି ବିରୁଦ୍ଧରେ ଅଭିଭାବକମାନଙ୍କ ସହିତ ଛାତ୍ରଛାତ୍ରୀମାନେ ମିଶି ଶେଷରେ ସ୍କୁଲ ତାଲା ପକାଇଛନ୍ତି । ତୁରନ୍ତ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି । କାରଣ ଦୀର୍ଘ ବର୍ଷ ବର୍ଷ ଧରି ଶିକ୍ଷକ ଅଭାବ ଯୋଗୁଁ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ଛି । ଶିକ୍ଷକ ନିଯୁକ୍ତି ଦାବି ନେଇ ବାରମ୍ୱାର ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଏହି ଉଚ୍ଚ ବିଦ୍ୟାଳୟଟି ରମ୍ଭିଲା ଗ୍ରାମ ପଞ୍ଚୟତର ଏକ ମାତ୍ର ବିଦ୍ୟାଳୟ । ଯାହା ଉପରେ ଆଖାପାଖର 4 ଗୋଟି ପଞ୍ଚାୟତର ଛାତ୍ରଛାତ୍ରୀମାନେ ନିର୍ଭର କରନ୍ତି । ରାଜ୍ଯ ସରକାରଙ୍କ ପକ୍ଷରୁ ଏହି ଉଚ୍ଚ ବିଦ୍ୟାଳୟଟିକୁ 5T ରୂପାନ୍ତରିତ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷା ଦାନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ ।