ଭଦ୍ରକ:ଜିଲ୍ଲାରେ ପ୍ରଥମ ଦିନ ମୋଟ 432ଟି ନାମାଙ୍କନ ପତ୍ର ଦାଖଲ ହୋଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କୋରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ପ୍ରଥମ ଦିନରେ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ନାମାଙ୍କନ ପତ୍ର ଦାଖଲ ପାଇଁ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର 28ଟି ଜିଲ୍ଲା ପରିଷଦ ଜୋନ, 218 ଟି ପଞ୍ଚାୟତ ଓ 3056 ଟି ୱାର୍ଡ ମେମ୍ବର ପଦବୀ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। ଜିଲ୍ଲା ପରିଷଦ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କ ଉପସ୍ଥିତରେ ନାମାଙ୍କନ ଦାଖଲ ହେବ ।
ସେହିପରି ପଞ୍ଚାୟତ ସମିତି ପାଇଁ ନିଜ ନିଜ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡ଼ିଓଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ପାଇଁ ନାମାଙ୍କନ ପଞ୍ଚାୟତ କାର୍ଯ୍ୟାଳୟରେ କରାଯାଉଛି । କିନ୍ତୁ ନାମାଙ୍କନର ପ୍ରଥମ ଦିନରେ ହାତଗଣତି କେତେକ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । କୋରୋନା କଟକଣା ମଧ୍ୟରେ ସ୍ୱଳ୍ପ ସଂଖ୍ୟକ ସମର୍ଥକଙ୍କୁ ନେଇ ନାମାଙ୍କନ ଭରାଯାଇଛି।