ଭଦ୍ରକ:ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅନ୍ତର୍ଗତ ଘଣ୍ଟେଶ୍ୱର ବଜାର ମଧ୍ୟରେ ଏକ ସରକାରୀ ବିଦେଶୀ ମଦ ଦୋକାନ ଖୋଲାଯିବାକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଛି । ବଜାରରୁ ମାତ୍ର 50 ମିଟର ଦୂରତା ମଧ୍ୟରେ ଏହି ମଦ ଦୋକାନ ଖୋଲାଯିବାକୁ ପ୍ରଶାସନିକ ସ୍ତରରେ ସମସ୍ତ କାଗଜପତ୍ର କାମ ସରିଥିବାବେଳେ ଦିନେ ଦୁଇ ଦିନ ମଧ୍ୟରେ ମଦ ଦୋକାନ ଖୋଲିବା ନେଇ ପ୍ରାକ ସୂଚନା ମିଳିଛି । ପଞ୍ଚାୟତର ସରପଞ୍ଚଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ, ବିଜେପି ମହିଳା ମୋର୍ଚ୍ଚା ଓ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ସଭ୍ୟ ଏହାକୁ ବିରୋଧ କରୁଥିବା ଜଣାପଡ଼ିଛି ।
ଯେଉଁ ସ୍ଥାନରେ ମଦ ଦୋକାନ ଖୋଲାଯାଉଛି ତାହା ନିକଟରେ ପୋଷ୍ଟ ଅଫିସ୍, ୟୁକୋ ବ୍ୟାଙ୍କ, ସତ୍ୟସାଇ ମନ୍ଦିର, ପ୍ରଜାପିତା ବ୍ରହ୍ମକୁମାରୀ ଶିକ୍ଷାକେନ୍ଦ୍ର, ସେବା ସମବାୟ ସମିତି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସାର୍ବଜନିକ ଅନୁଷ୍ଠାନ ଥିବା ସହ 20ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି । ସେହିପରି ଉକ୍ତ ରାସ୍ତା ମଧ୍ୟ 2 ପଞ୍ଚାୟତର ମୁଖ୍ୟ ଗମନାଗମର ମୁଖ୍ୟ ରାସ୍ତା । ଶହଶହ ଛାତ୍ରଛାତ୍ରୀ ଏହି ବାଟ ଦେଇ ଯାତାୟାତ କରନ୍ତି ।