ଭଦ୍ରକ: ଅନନ୍ୟ ଐତିହ୍ୟ ଓ ସଂସ୍କୃତିରେ ଭରପୁର ଆମ ଓଡ଼ିଶା । ବିବିଧ କଳା ଓ ପରମ୍ପରା ଏହାର ଆଧାର । ଓଡ଼ିଶୀ ନୃତ୍ୟର ନାମ ଉଠିଲେ ମନରେ ଆସେ ଓଡିଶା ଓ ଏହାର ବଳିଷ୍ଠ ସଂସ୍କୃତି । ତେବେ ଦେଖିବାକୁ ଆକର୍ଷଣୀୟ ଲାଗୁଥିବା ଏହି ନୃତ୍ୟ କଳାରେ ଖୁବ କମ୍ ବୟସରେ ପାରଦର୍ଶିତା ଲାଭ କରିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ତନ୍ମୟା ସାଇ । ଭାରତ ଆଇକନ ସହ ଅନେକ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ଛୋଟ ବେଳୁ ନୃତ୍ୟ ପ୍ରତି ଅହେତୁକ ରୁଚି ରଖିଥିବା ଦେଖି ତନ୍ମୟାଙ୍କୁ ତାଙ୍କ ପରିବାର ଲୋକେ ନାଚ ଶିଖାଉଥିଲେ । ପ୍ରଥମରୁ ଓଡ଼ିଶୀ ନୃତ୍ୟ ଶିଖିବା ସହ ପରବର୍ତ୍ତୀ ସମୟରେ ମଡର୍ଣ୍ଣ ଡ୍ୟାନ୍ସ ପ୍ରତି ମଧ୍ୟ ମନ ବଳାଇଛନ୍ତି । ବାଙ୍ଗାଲୋରଠାରେ ଅନୁଷ୍ଠିତ ଭାରତ ଆଇକନ ଆୱାର୍ଡ ସହ ଅନେକ ଜାତୀୟସ୍ତରର ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି ଭଦ୍ରକର ଝିଅ ତନ୍ମୟା ସାଇ ମହାନ୍ତି ।
ଅଷ୍ଟମ ଶ୍ରେଣୀର ଛାତ୍ରୀ ତନ୍ମୟା ଜଣେ ନିଖୁଣ ଓଡିଶୀ ନୃତ ଶିଳ୍ପୀ । ପାଠ ପଢ଼ିବା ସହ ଅବସର ସମୟରେ ସୋସିଆଲ ମିଡିଆରୁ ନୃତ୍ୟ ଶିଖନ୍ତି । ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ଘର ହୋଇଥିବା ବେଳେ ବାପା ଅଗ୍ନିଶମ ବିଭାଗରେ ଚାକିରି କରିଥିବାରୁ ଭଦ୍ରକ ସହରର ଚରମ୍ପାରେ ସେ ପରିବାର ସହ ରୁହନ୍ତି । ଛୋଟ ବେଳୁ ମୋବାଇଲରେ ନାଚ ଦେଖି ନିଜେ ନିଜେ ଶିଖୁଥିଲେ । ଘର ଲୋକେ ତନ୍ମୟାଙ୍କ ଇଚ୍ଛାକୁ ଦେଖି ନୃତ୍ୟ ଶିକ୍ଷକଙ୍କ ନିକଟରେ ନୃତ୍ୟ ଶିଖାଇବା ସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରାଇଥିଲେ । ଏବେ ପର୍ଯ୍ୟନ୍ତ ଅନେକ ଜିଲ୍ଲା ସ୍ତରୀୟ ତଥା ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି ତନ୍ମୟା । ନିକଟରେ ବାଙ୍ଗାଲୋରରେ ଆୟୋଜିତ ହୋଇଥିବା ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗିତାରେ ତନ୍ମୟା ଅଂଶଗ୍ରହଣ କରିଥିଲେ । ଯାହାକି ଭାରତ ଆଇକନ ଆୱାର୍ଡ ଭାବେ ବେଶ ମଧ୍ୟ ପରିଚିତ । ଏହି ପ୍ରତିଯୋଗିତାରେ ସେ ଅନ୍ୟ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଭାରତ ଆଇକନ ଆୱାର୍ଡରେ ପୁରସ୍କୃତ ହୋଇଥିଲେ ।