ଭଦ୍ରକ:ପୋଲିସ ଓ ଜନତାଙ୍କ ସମ୍ପର୍କକୁ ସୁଦୃଢର ନିଆରା ପ୍ରୟାସ । ପରସ୍ପରକୁ ଅବୀର ଲଗାଇ ସମ୍ପର୍କର ସୂତାକୁ ଆହୁରୀ ମଜଭୁତ କରନ୍ତି ପୋଲିସ ଓ ସାଧାରଣ ଜନତା । ଏପରି ନିଆରା ପରମ୍ପରା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀରେ । 1943 ମସିହାରୁ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରୀପୋଖରୀ ଥାନା ପରିସରରେ ଅନୁଷ୍ଠିତ ହୋଇଥାଏ ତିନି ଦିନିଆ ମୁନସି ମେଳଣ ଉତ୍ସବ । ଯାହାକି ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ ।
1942 ମସିହା ଭାରତ ଛାଡ଼ ଆନ୍ଦୋଳନ ସମୟରେ କିଛି କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ଭଣ୍ଡାରିପୋଖରୀ ଥାନାକୁ ପୋଡି ଦେଇଥିଲେ । ଯାହା ପରଠାରୁ ପୋଲିସ ଏବଂ ଜନତାଙ୍କ ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଥିଲା । ଆଉ ଏହି ସମ୍ପର୍କରେ ସୁଧାର ଆଣିବାକୁ ଯାଇ 1943 ମସିହାରେ ନୂଆ ସମ୍ପର୍କର ଡୋରି ବାନ୍ଧିଥିଲେ ସେତେ ବେଳେ ଥିବା ଥାନା ଅଧିକାରୀ ବାବୁଲାଲ ମୁନ୍ସୀ । ବ୍ରିଟିଶ ପୋଲିସରେ ସେ ଥାଇ ମଧ୍ୟ ଲାଲ ମୁନସିଙ୍କ ଏହିପରି ପଦକ୍ଷେପ ଆଜି ଯାଏଁ ଉଦାହରଣ ପାଲିଟିଛି । ରାଜସ୍ଥାନର ବାବୁଲାଲ ମୁନ୍ସୀ ଆଜି ଆଉ ନାହାଁନ୍ତି । ହେଲେ ତାଙ୍କର ସେହି ଐତିହାସିକ ନିଷ୍ପତ୍ତି ପୋଲିସ ଏବଂ ଜନତାଙ୍କ ମଧ୍ୟରେ ସମ୍ପର୍କର ଡୋରିକୁ ମଜଭୁତ କରିବାରେ ସକ୍ଷମ ହୋଇଛି । ଏହି ମେଳଣ ଆଜିବି ଥାନା ବଡ ବାବୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହେଉଛି । ଏହି ମେଲଣ ଉତ୍ସବ ଆଜି ପାଲଟିଛି ଐତିହାସିକ ଗଣପର୍ବ ।