ଭଦ୍ରକ: ଅପହରଣର 6 ଦିନ ପରେ ନଦୀରୁ ବନ୍ଧା ବସ୍ତାରେ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଶ୍ୟାମସୁନ୍ଦପୁର ପଞ୍ଚାୟତ ଅଧିନ ଉପରଦୁମୁକା ଗ୍ରାମରେ । ଗ୍ରାମର ଧରଣୀଧର କୁଅଁର ନାମକ ଜଣେ ବୃଦ୍ଧଙ୍କୁ ଅପରହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, ମୃତ ଧରଣୀଧରଙ୍କର କୋଲକାତାରେ ଏକ ଦୋକାନ ରହିଛି । ଗତ 6 ମାସ ହେବ ଧୁଷୁରୀ ଥାନା ଭଣ୍ଡାରୀପଡା ଗ୍ରାମର ପପୁ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଲିଜ୍ ସୂତ୍ରରେ ଦେଇଛନ୍ତି । ତେବେ ଭଡା ମିଳିନଥିବା ନେଇ ଉଭୟଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ମେ ମାସ 28 ତାରିଖ ସନ୍ଧ୍ୟାରେ ପପୁ ପଣ୍ଡା ଉପରଦୁମୁକା ଗ୍ରାମକୁ ଆସି ଭଡା ଦେବା କଥା କହି ଧରଣୀଧରଙ୍କୁ ତାଙ୍କ ନିଜ ଘରକୁ ବାଇକ ଯୋଗେ ନେଇ ଯାଇଥିଲା । ରାତି ପର୍ଯ୍ୟନ୍ତ ଧରଣୀଧର ନଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ । ପପୁକୁ ଫୋନ ଯୋଗେ ପଚାରିବାରୁ ସେ ଧରଣୀଧରଙ୍କୁ 20 ହଜାର ଟଙ୍କା ଦେଇ ରାତି 8ଟାରେ ବେତାଳିଗ୍ରାମ ଛକରେ ଛାଡି ଦେଇଥିବା କହିଥିଲେ ।