ଭଦ୍ରକ:ପୂର୍ବ ଶତ୍ରୁତାକୁ ନେଇ ଘରେ ନିଆଁ ଲଗାଇଲେ ଗାଁ ଲୋକ । ଏମିତି ଅଭିଯୋଗ ଆଣିଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତଳାଙ୍ଗ ଗାଁ ର ଗୋବିନ୍ଦ ଜେନା । ନିଆଁରେ ଘରର ସବୁ ଆସବାବପତ୍ର ପୋଡ଼ି ଯାଇଛି । ହେଲେ ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡିଛି ।
ଅଭିଯୋଗକାରୀ ଗୋବିନ୍ଦ ଜେନାଙ୍କ କହିବାନୁଯାୟୀ, ଗତ ଦୁଇ ଦିନ ତଳେ ଉକ୍ତ ଗ୍ରାମର ଜେନା ସାହିର କିଛି ବ୍ୟକ୍ତିଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଆଉ ଏନେଇ ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ । ଉଭୟଙ୍କ ଏତଲା ପରେ ବୁଝାମଣା ପାଇଁ କିଛି ଦିନ ସମୟ ଥାନାରୁ ନେଇଥିଲେ । କିନ୍ତୁ ହଠାତ୍ ବିଳମ୍ବିତ ରାତି ସମୟରେ ଉକ୍ତ ଗ୍ରାମର ଅପର ପକ୍ଷର କିଛି ଯୁବକ ଆସି ଗୋବିନ୍ଦ ଜେନାଙ୍କ ଘର କବାଟ ବାଡ଼େଇ ଘରୁ ବାହାରି ଆସିଥିଲେ । ପରେ ଗୋବିନ୍ଦ ଘରୁ ବାହାରିବା ପରେ ମାଡ଼ ମାରି ଘରେ ନିଆଁ ଲଗେଇ ଦେବା କଥା କହିଛନ୍ତି ଅଭିଯୋଗକାରୀ । ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ବ୍ରହ୍ମପୁରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ପଙ୍କଳବାଡ଼ି ଗ୍ରାମରେ ପାରିବାରିକ କଳହରୁ ଦୁଇ ସମ୍ପର୍କୀୟ ଭାଇଙ୍କ ପରିବାର ମଧ୍ୟରେ ଲାଗି ରହିଥିଲା ବିବାଦ । ମୃତ ମିଥୁନ୍ ଓ ଲିପୁନ୍ କୌଣସି କାର୍ଯ୍ୟରେ ବ୍ରହ୍ମପୁରର କବିସୂର୍ଯ୍ୟନଗର ଯାଇ ନିଜର ମୋଟର ସାଇକେଲ ଯୋଗେ ପଙ୍କଳବାଡ଼ି ଗ୍ରାମକୁ ଫେରୁଥିଲେ ।