ଭଦ୍ରକ:କୁହାଯାଏ ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବକୁ ସାଙ୍ଗରେ ଧରି ଆସେ । ପ୍ରଥମେ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଶୁଦ୍ଧିକ୍ରିୟା ପାଇଁ ଅର୍ଥ ବାଧକ ହୋଇ ଛିଡା ହୋଇଛି । ଘରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବା ବେଳେ ଏବେ ବୋଝ ଉପରେ ଲଳୀତା ବିଡ଼ା ଲଦିହେବା ଭଳି ପରିସ୍ଥିତି ହୋଇଛି । ଯାହାକୁ ନେଇ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ଲୋକ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଦଳାଙ୍ଗ ପଞ୍ଚାୟତ ଅନ୍ତର୍ଗତ ରାମେଶ୍ବରପୁର ଗ୍ରାମ କୁମ୍ଭାର ସାହୀରେ ଦଶରଥ ସହୁଙ୍କ ଘର । ଦଶରଥ ତାଙ୍କ ପତ୍ନୀଙ୍କ ସମେତ ଗୋଟିଏ ଓ ଝିଅକୁ ନେଇ ବହୁ କଷ୍ଟରେ ଗାଁରେ ରହୁଥିଲେ । ଦିନକୁ ଦିନ ପିଲାମାନେ ବଡ ହେବାରୁ ଘରର ଖର୍ଚ୍ଚ ମଧ୍ଯ ବଢିଥିଲା । ତେଣୁ ଶେଷରେ ବାଧ୍ୟ ହୋଇ ସ୍ତ୍ରୀ ଓ ପିଲାଛୁଆଙ୍କୁ ଧରି ଦାଦନ ଖଟିବାକୁ ବେଙ୍ଗାଲୁର ଚାଲି ଯାଇଥିଲେ । ପ୍ରାୟ 10 ବର୍ଷ ଧରି ସେ ବେଙ୍ଗାଲୁରରେ ରହୁଥିଲେ ।
ତେବେ ବେଙ୍ଗାଲୁରରେ ଏକ ଘରୋଇ କମ୍ପାନୀରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଆତିବେଲି ଠାରେ ଥିବା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଶିବାଜୀ ନଗରରେ ଥିବା ଅନ୍ୟ ଏକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅବନତି ହେବାରୁ ତାଙ୍କୁ ଇନ୍ଦ୍ରନଗର ଠାରେ ଥିବା ଏକ ଘରୋଇ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସା ପାଇଁ ଅର୍ଥ ଅଭାବ ହେବା ଯୋଗୁଁ ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ମିଳିଥିବା କାର୍ଡ ଦେଖାଇଥିଲେ । ହେଲେ ଏହି କାର୍ଡରେ ଥିବା ସୁବିଧା ସୁଯୋଗ ସେଠାରେ ଉପଲବ୍ଧ ନଥିବା କହିଥିଲେ ମେଡିକାଲ କର୍ତ୍ତୃପକ୍ଷ । ଏହାସହ ଅନ୍ୟ କେତେକ ଘରୋଇ ମେଡିକାଲ ସହ ଯୋଗାଯୋଗ କରିବା ପରେ ମଧ୍ୟ ସେଠାରେ ଏହି କାର୍ଡରେ ଥିବା ସୁବିଧା ମଧ୍ୟ ଉପଲବ୍ଧ ନଥିବା ସୂଚନା ମିଳିଛି । ଶେଷରେ ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ବେଙ୍ଗାଲୁରର ଏକ ସରକାରୀ ଚିକିତ୍ସାଳୟରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଅକ୍ଟୋବର 31 ତାରିଖ ମଙ୍ଗଳବାର ଦିନ ଦଶରଥ ସହୁଙ୍କର ମୃତ୍ୟୁ ହୋଇଥିଲା ।