ଭଦ୍ରକ: ବିଷାକ୍ତ ଫଳ ଖାଇ 20 ଛାତ୍ରଛାତ୍ରୀ ଅସୁସ୍ଥ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିକଟ ଅରେଇକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । କିଛି ଛାତ୍ର ପିସ୍ତା ବାଦାମ ଭାବି ଏକ ବିଷାକ୍ତ ଗଛର ଫଳ ଖାଇବା ସହ ଅନ୍ୟମାନଙ୍କୁ ଖାଇବାକୁ ଦେଇଥିଲେ । ଏହାପରେ ସମସ୍ତ ଅସୁସ୍ଥଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ 5 ଜଣ ଚିକିତ୍ସାଧିନ ଅଛନ୍ତି ।
ଖବର ଅନୁଯାୟୀ 2 ଜଣ ଛାତ୍ର ସ୍କୁଲ ନିକଟରେ ଥିବା ବନ୍ଦୁରୀ ନାମକ ଏକ ବିଷାକ୍ତ ଫଳ ଗଛରୁ ପିସ୍ତା ବାଦାମ ଭାବି କିଛି ଫଳକୁ ଆଣିଥିଲେ । ପରେ ସେମାନେ ଖାଇବା ସହିତ ଅନ୍ୟ ପିଲାମାନଙ୍କୁ ମଧ୍ୟ ଦେଇଥିଲେ । ଏହାକୁ ଖାଇ କିଛି ସମୟ ପରେ ସମସ୍ତେ ବାନ୍ତି କରିବା ସହ ସେମାନଙ୍କ ମୁଣ୍ଡ ବୁଲାଇଥିଲା । ତେଣୁ ଏହି ଲକ୍ଷଣ ପ୍ରକାଶ ପାଇଥିବା ପ୍ରାୟ 20 ଜଣ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ନିକଟସ୍ଥ ଭଣ୍ଡାରିପୋଖରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।