ଭଦ୍ରକ: ଭଦ୍ରକରେ ବୃଦ୍ଧି ପାଉଛି ଗୋଷ୍ଠୀ କନ୍ଦଳ । ଦୁଇ ପ୍ରମୁଖ ଦଳର କର୍ମୀ ମୁହାଁମୁହିଁ ହୋଇଥିବା ବେଳେ 15 ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ତିହିଡି ଥାନା ସୟା ପଞ୍ଚାୟତ ଅଧିନ ବାଲିଚତୁରୀ ଗ୍ରାମରେ । ସମସ୍ତ ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ଆଦର୍ଶ ଗ୍ରାମ ଯୋଜନାରେ ନିର୍ମାଣ ହେଉଥିବା କଂକ୍ରିଟ ରାସ୍ତା ନିର୍ମାଣକୁ ନେଇ ଗତକାଲି ଦୁଇ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ। ଆହତଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଥିବା ବେଳେ ସେଠାରେ ମଧ୍ୟ ସନ୍ଧ୍ୟା ସମୟରେ ଖଣ୍ଡଯୁଦ୍ଧ ହୋଇଥିବା ପରିଲକ୍ଷିତ ହୋଇଥିଲା । ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଥିଲା ।
ସୂଚନା ମୁତାବକ, ବାଲିଚତୁରୀ ଗ୍ରାମରେ ଏକ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଏକ ପ୍ରମୁଖ ଦଳର କିଛି କର୍ମୀ ଉକ୍ତ କାର୍ଯ୍ୟ କରାଇ ନଦେବା ଲାଗି ସକାଳେ ଅନ୍ୟ ଏକ ଫଳକ ଲଗାଇ କଞ୍ଚାମାଲ ପକାଇ ଥିଲେ । କିନ୍ତୁ ଏହାକୁ ଅନ୍ୟ ଦଳର କିଛି କର୍ମୀ ବିରୋଧ କରିବାରୁ ଏହାକୁ ନେଇ ସରପଞ୍ଚ ଏତଲା ଦେଇଥିଲେ । ଅନ୍ୟପଟେ ରାଜନୈତିକ ଦଳର ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଥାନାରେ ଏତଲା ହୋଇଥିଲା ।