ଭଦ୍ରକ:ପରିଣତ ବୟସରେ ରସିକ ଭିଣୋଇର ଅଜବ କାରନାମା । ସ୍ତ୍ରୀ ବଞ୍ଚି ଥାଉ ଥାଉ ଶାଳୀକୁ ବାହାହେଲା ଭିଣୋଇ । ସ୍ତ୍ରୀକୁ ନିର୍ଯାତନା ଦେଇ ଘରୁ ତଡ଼ିଦେଲା, ବାକ୍ବାଧିତ ଶାଳୀକୁ ଉଠାଇ ନେଇ ବିବାହ କଲା । ଏଭଳି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଚୁଡ଼ାକୁଟୀ ଅଞ୍ଚଳରୁ । ଜଣେ ୫୮ ବର୍ଷୀୟ ବ୍ୟକ୍ତି ବିବାହର ୩୫ ବର୍ଷ ପରେ ସ୍ତ୍ରୀକୁ ଘରୁ ବାହାର କରିଦେଇ ଶାଳୀକୁ ଅପହରଣ କରି ବିବାହ କରିଥିବା ଧାମନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତର ବୃଦ୍ଧ ଶ୍ବଶୁର ଏହି ଅଭିଯୋଗ ଆଣିଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଖବର ଅନୁଯାୟୀ, ବିଦ୍ୟାଧରପୁର ଗ୍ରାମର ବଂଶୀଧର ଦାସଙ୍କ ପୁଅ ରମାକାନ୍ତ ଦାସ ୩୫ ବର୍ଷ ପୂର୍ବେ ଚୁଡ଼ାକୁଟା ଅଞ୍ଚଳର ଚିନ୍ତାମଣି ଖୁଣ୍ଟିଆଙ୍କ ପ୍ରଥମ କନ୍ୟା ମନୋରମାଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କ ଔରସରୁ ଗୋଟିଏ ପୁଅ ଏବଂ ଝିଅ ଜନ୍ମ ହୋଇଥିଲେ । ହେଲେ ବିବାହର କିଛି ବର୍ଷ ପରେ ରମାକାନ୍ତ ନିଜର ବାକ୍ବାଧିତ ଶାଳୀ ପ୍ରେମରେ ପଡ଼ି ଯାଇଥିଲେ । ଏହି ଘଟଣା ଜଣାପଡିବା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ରମାକାନ୍ତ ନିଜ ସ୍ତ୍ରୀକୁ ନିର୍ଯାତନା ଦେଇଆସୁଥିଲେ । ଶେଷରେ ଦୁଇ ବର୍ଷ ତଳେ ସେ ସ୍ତ୍ରୀକୁ ମାଡ ମାରି ଘରୁ ତଡ଼ି ଦେଇଥିଲେ ।
କିନ୍ତୁ ତାଙ୍କର ଶାଳୀ ପ୍ରେମ କମି ନଥିଲା । ସ୍ତ୍ରୀ ବଞ୍ଚି ଥାଉ ଥାଉ ଭିଣୋଇ ରମାକାନ୍ତ ଦିବ୍ୟାଙ୍ଗ ଶାଳୀକୁ ଅପହରଣ କରି ନେଇ ତାଙ୍କ ମୁଣ୍ଡରେ ସିନ୍ଦୁର ଦେଇ ବିବାହ କରିଥିଲେ । ବିବାହର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତ କଥା ପ୍ରଘଟ ହୋଇଥିଲା । ଏହାପରେ ୮୫ ବର୍ଷୀୟ ଚିନ୍ତାମଣି ଝିଅ ମନୋରମାଙ୍କୁ ସାଙ୍ଗରେ ନେଇ ନ୍ୟାୟ ପାଇଁ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ।