ଭଦ୍ରକ:ପୋଲିସର ଦବଙ୍ଗଗିରି । ନାଇଟ୍ ପାଟ୍ରୋଲିଂ ବେଳେ ଭଦ୍ରକ ଜିଲ୍ଲା ଆଗରପଡା ପୋଲିସ ମାଡ଼ରେ ମଞ୍ଚ କଳାକାର ଗୁରୁତର ଆହତ । ଏନେଇ ଗୁରୁତରଙ୍କୁ ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ପାଟ୍ରୋଲିଂ ବେଳେ ଗାଡିର କାଗଜପତ୍ର ଯାଞ୍ଚ ଆଳରେ ଜନୈକ ମଞ୍ଚ କଳାକାରଙ୍କୁ ପୋଲିସ ପ୍ରବଳ ମାଡ଼ ମାରି ଲହୁଲୁହାଣ କରିଥିଲା । ଏହାପରେ ତାଙ୍କର ମୋବାଇଲ ଏବଂ ସୁନା ଚେନ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆଗରପଡ଼ା ପୋଲିସର ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ସଂପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ଆଗରପଡା ଥାନା ଅନ୍ତର୍ଗତ ତେଲନଟି ଗାଁର ମଞ୍ଚ କଳାକାର ଗୋପିନାଥ ନାୟକ ଭଦ୍ରକରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସାରି ରାତ୍ରି ପ୍ରାୟ 11ଟାରେ ଘରକୁ ଫେରୁଥିଲେ । ଏହି ସମୟରେ 4 ଜଣ ପୋଲିସ କର୍ମଚାରୀ ଆଗରପଡା ଥାନାର ଶେଷ ସୀମା କାଣ୍ଡବା ରାମପୁର ନିକଟରେ ଥିବା ଏକ ବିୟର ବାର୍ ସମ୍ମୁଖ ରାସ୍ତାରେ ଛିଡା ହୋଇଥିଲେ । ସେଠାରେ ଗୋପିନାଥଙ୍କ ଗାଡିକୁ ଅଟକାଇ ଥିଲେ ଏବଂ ଗାଡିର କାଗଜପତ୍ର ଯାଞ୍ଚ କରିବା ପାଇଁ ତାଙ୍କୁ ମାଗିଥିଲେ । ସେ ନିଜ ଗାଡିର ସମସ୍ତ କାଗଜପତ୍ର ପୋଲିସ କର୍ମଚାରୀଙ୍କୁ ଦେଖାଇଥିଲେ । ଯାହାକି ସମ୍ପୂର୍ଣ୍ଣ ଭାବେ ଠିକ୍ ଥିଲା । ହେଲେ ପୋଲିସ କୌଣସି କାରଣ ନଥାଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ଟଙ୍କା ମାଗିଥିଲେ । ତେବେ ତାଙ୍କ ପାଖରେ ଟଙ୍କା ନ ଥିବାରୁ ସେ ଫୋନ ପେ'ରେ ଟଙ୍କା ଦେବାକୁ କହିଥିଲେ ।