ଭଦ୍ରକ/ଭୁବନେଶ୍ୱର: ଧାମନଗର ଗାଦି ହାସଲ କରିବାକୁ ପ୍ରମୁଖ ରାଜନୈତିକ ଦଳ କସରତ ଚଳାଇଛନ୍ତି । ଶାସକ ବିଜେଡି, ବିରୋଧୀ ବିଜେପି ଓ କଂଗ୍ରେସର ତୁଙ୍ଗ ନେତାଏ ଏଠାରେ ପହଞ୍ଚି ଜୋରଦାର ପ୍ରଚାର କରୁଛନ୍ତି । ତେବେ ପ୍ରାର୍ଥୀ ଚୟନକୁ ନେଇ ଏବେ ବି ସ୍ଥାନୀୟ ବିଜେଡି ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି (Campaigning in Dhamnagar)। ଏମାନେ ବିଦ୍ରୋହୀ ପ୍ରାର୍ଥୀ ତଥା ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ।
ବିଜେଡିର ଜୋରଦାର ପ୍ରଚାର
ଆଜି ଧାମନଗରରେ ବିଜେଡି ପ୍ରାର୍ଥିନୀ ଅବନ୍ତି ଦାସ ନିଜ ସମର୍ଥକଙ୍କ ସହ ଦୋବଲ ଜୋନ୍ରେ ପ୍ରଚାର କରିଛନ୍ତି । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସହ ଦକ୍ଷିଣବାଡ଼ ଛକ ନିକଟରୁ ଶୋଭାଯାତ୍ରାରେ ବାହାରି ଦୋବଲ ଜୋନ୍ରେ ପ୍ରଚାର କରିଛନ୍ତି । ଦଳର ହେଭିୱେଟ ପହଞ୍ଚିବା ପରେ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ମଧ୍ୟ ହେବ । ହେଲେ ଅସନ୍ତୁଷ୍ଟ କର୍ମୀ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇ ପାରନ୍ତି ବୋଲି ଆଲୋଚନା ହେଉଛି ।
ସେପଟେ ସ୍ଥାନୀୟ ନେତା ବୁମେରାଂ କଥାକୁ ଖଣ୍ଡନ କରିଛନ୍ତି । ସ୍ଥାନୀୟ ନେତା କହିଛନ୍ତି, "ବିରୋଧୀ ଦଳ ହତୋତ୍ସାହିତ ହୋଇ ପଡ଼ିଲେଣି ଏଣୁ ବିଜେଡି ବିରୋଧରେ ଅପ ପ୍ରଚାର କରୁଛନ୍ତି । ଏଥିରେ କୌଣସି ସତ୍ୟତା ନାହିଁ । ନବୀନ ବାବୁଙ୍କ ସୁଶାସନରେ ସ୍ବତପ୍ରବୃତଃ ଭାବରେ ଲୋକ ଆସି ରାଲି ସଭା ସମିତିରେ ସାମିଲ ହେଉଛନ୍ତି ।"
ତୁଙ୍ଗ ନେତାଙ୍କ ସହ ବିଜେପିର ପ୍ରଚାର
ଧାମନଗର NACରେ ଜନ ଆଶୀର୍ବାଦ ପଦଯାତ୍ରା କରିଛି ବିଜେପି । ରାଜ୍ୟ ସଭାପତି ସମୀର ମହାନ୍ତି ଡୋର୍ ଟୁ ଡୋର୍ କ୍ୟାମ୍ପେନିଂରେ ସାମିଲ ହୋଇଛନ୍ତି । ବିଜେପି ପାର୍ଥୀ ସୂର୍ଯ୍ୟବଂଶୀ ସୁରଜ ହଜାରହଜାର ସମର୍ଥକଙ୍କ ସହ ବାଇକ ଶୋଭାଯାତ୍ରା କରିଛନ୍ତି । NACର11ଟି ୱାର୍ଡରେ ପ୍ରଚାର କରିଛି ବିଜେପି । ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାମନଗରରେ ପଦଯାତ୍ରା ସହ ରୋଡ ସୋ କରିବେ ।