ଭଦ୍ରକ:ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ମା’ ଶ୍ୟାମାକାଳୀ ଏବଂ ଦକ୍ଷିଣେଶ୍ୱରୀ କାଳୀଙ୍କ ପୂଜାଉତ୍ସବ । ଅମାବାସ୍ୟା ସନ୍ଧ୍ୟାରେ କଳସ ବୁଡା ଯାଇ ନୀତିକାନ୍ତି କରାଯାଇଥିଲା । ତେବେ ଦେବୀ ମାଆଙ୍କ ପୂଜା ଆରାଧନା ପାଇଁ ପୂଜା ମଣ୍ଡପଗୁଡିକୁ ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯାଇଛି । ଦେବୀ ମାଆଙ୍କ ମୃଣ୍ମୟୀ ପ୍ରତିମା ଦର୍ଶନ ତଥା ସନ୍ଧ୍ୟା ଆରତୀରେ ସାମିଲ ହୋଇ ଦେବୀ କୃପା ଲାଭ କରିବା ପାଇଁ ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳୁଛି ।
ବିଶେଷକରି ତିହିଡିର ସର୍ବ ପୂରାତନ ଦେବୀ ପୀଠ କାଳୀମେଘା ଗ୍ରାମର ମା’ ଦକ୍ଷିଣେଶ୍ୱରୀ କାଳୀଙ୍କର ପ୍ରସିଦ୍ଧି ରହିଛି । 300 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏଠାରେ ମା’ ଦକ୍ଷିଣେଶ୍ୱରୀ କାଳୀଙ୍କ ପୂଜା ପାଳିତ ହୋଇଆସୁଛି । ଗ୍ରାମର ମଧ୍ୟ ଭାଗରେ ଥିବା ମନ୍ଦିରରେ ମା’ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କୁ ଷୋଢଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥାଏ । ତେବେ ମାଆଙ୍କ ନାମ ଏବଂ ମେଘ ରଙ୍ଗର ରୂପକୁ ନେଇ ଗ୍ରାମର ନାମ କାଳୀମେଘା ରଖାଯାଇଥିବା କୁହାଯାଏ । ମାଆଙ୍କ ମହିମା ଏବଂ କରୁଣା ଅପାର । ଯିଏ ଯାହା ମାନସିକ ରଖିଥାଏ ମା' ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।
ସେହିପରି 1945 ମସିହାରୁ ତିହିଡିରେ ଶ୍ୟାମାକାଳୀଙ୍କ ପୂଜା ପାଳିତ ହୋଇଆସୁଛି । ଚଳିତ ବର୍ଷ କାଳୀ ପୂଜାରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜିତ ହେବା ସହ ଗତାନୁଗତିକ ଶୈଳୀରେ ପାର୍ଶ୍ୱ ପ୍ରତିମୂର୍ତ୍ତି ବିଶେଷ ଆକଷର୍ଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ସେହିପରି 1949 ମସିହା ଠାରୁ ପୀରହାଟ ପୁରୁଣା ବଜାରରେ ଶ୍ୟାମାକାଳୀ ପୂଜା ପାଳିତ ହେଉଛି । ପ୍ରଥମେ ଏକ ମାଟି ଘରେ ମା’ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଯଥାବିଧିରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଅନ୍ୟ ଏକ ମାଟି ଘରେ ମା’ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ଯଥାବିଧିରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇ ମା’ ଙ୍କ ପୂଜା ପାଳନ କରାଯାଉଛି ।