ଭଦ୍ରକ: ମା ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିନରେ ଆଜି ମା ଜଗଦ୍ଧାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ମାଙ୍କର ଏହି ବେଶ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।
ଜଗଦ୍ଧାତ୍ରୀ ବେଶରେ ମା'ଙ୍କର ଆଜି ବାଘ ବାହନ ଥିବା ବେଳେ ମୁଖ ମଣ୍ଡଳ କୃଷ୍ଣବର୍ଣ୍ଣ ଥିଲା । ମା ନାଲିପାଟ ବସ୍ତ୍ର ପରିଧାନ କରିଥିବା ବେଳେ ସ୍ବର୍ଣ୍ଣ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି। ମା ହସ୍ତରେ ଶଙ୍ଖ, ଚକ୍ର, ଗଦା, ଖଡ୍ଗ ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ପ୍ରକଟ ହୋଇଛନ୍ତି। ଭକ୍ତମାନେ ପୀଠରେ ଚାଲିଥିବା ଯଜ୍ଞ, ହୋମ ମଧ୍ୟ ଦର୍ଶନ କରିଛନ୍ତି। ଜଗଦ୍ଧାତ୍ରୀ ବେଶରେ ମା ଙ୍କୁ ଦର୍ଶନ କଲେ ଭକ୍ତର ମାନସିକ ପୂରଣ ହୁଏ ବୋଲି ଦୃଢ଼ ବିଶ୍ବାସ ରହିଛି। ଆଦ୍ୟାଶକ୍ତି ମା ଭଦ୍ରକାଳୀ ସୃଷ୍ଟିର ସମସ୍ତ ଶକ୍ତିର ଅଧିକାରିଣୀ ଜଗତର ପାଳନ କର୍ତ୍ତା। ସମସ୍ତ ଜୀବ ଜଗତ, ପ୍ରାଣୀ ଜଗତ ତଥା ଉଦ୍ଭିଦ ଜଗତ, ଜଳ, ସ୍ଥଳ ସର୍ବତ୍ର ତାଙ୍କର ସତ୍ତା ଉପଲବ୍ଧି ହେଉଛି।