ଓଡିଶା

odisha

ETV Bharat / state

ଭଦ୍ରକରେ ଗୋରୁଙ୍କ ଜୀବନ ନେଉଛି ଲମ୍ପି ଭାଇରସ, ଚିନ୍ତାରେ ଗୋପାଳକ - ଲମ୍ଫି ଭାଇରସ

ଗୋପାଳକଙ୍କୁ ଘାରୁଛି ଅଜଣା ରୋଗ ଚିନ୍ତା । ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଇଁବାରେ ଲାଗିଛି ଲମ୍ପି ଭାଇରସ । ଭଦ୍ରକରେ ଭୂତାଣୁ ଜନିତ ରୋଗ ବ୍ୟାପିବାରେ ପ୍ରାୟ ଚିନ୍ତାରେ ଗୋରୁ ଚାଷୀ । ଅଧିକ ପଢ଼ନ୍ତୁ

lumpy skin infection
ଲମ୍ଫି ଭାଇରସ

By

Published : Jan 11, 2023, 8:57 PM IST

ଭଦ୍ରକରେ ବ୍ୟାପୁଛି ଲମ୍ପି ଭାଇରସ

ଭଦ୍ରକ: ଜିଲ୍ଳାରେ ଆତଙ୍କ ସୃଷ୍ଟି କରିଛି ଲମ୍ପି ଭାଇରସ । ଗାଈଙ୍କୁ ବ୍ୟାପୁଛି ଅଜଣା ରୋଗ । ବିଲରୁ ଚରିବୁଲି ଘରକୁ ଫେରୁଥିବା ଗୋରୁଙ୍କ ହଠାତ୍‌ ଉଚ୍ଚ ତାପମାତ୍ରାରେ ଜ୍ୱର ଆସିବା ସହିତ ଖିଆପିଆ ବନ୍ଦ କରିଦେଇ ଶୋଇ ରହୁଛନ୍ତି ଗୋରୁ । ପରଦିନଠାରୁ ଦେହରେ ଆବୁ ଆବୁ ହୋଇ ଫୋଟକା ହେଉଥିବା ଦେଖିବାକୁ ମିଳୁଛି । ତେବେ କିଛିଦିନ ପରେ ଗୋରୁଙ୍କ ମୃତ୍ୟୁ ହୋଇଯାଉଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାରି ନଥିବା ବେଳେ ଗୋପାଳଙ୍କୁ ଘାରିଛି ଚିନ୍ତା ।

ଭଦ୍ରକ ଜିଲ୍ଲାର ଏକ ହଜାରରୁ ଅଧିକ ଗୋରୁଗାଈ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ସରକାରୀ ଭାବେ 10ଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ବେସରକାରୀ ଭାବେ ପ୍ରାୟ 30ଟି ଗାଈଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଏହି ରୋଗରେ ପୀଡ଼ିତ ଅଧିକ ଗୋରୁଙ୍କର ମୃତ୍ୟୁ ଘଟିନଥିଲେ ମଧ୍ୟ ମହାମାରୀ ରୋଗ ଭଳି ଏହି ରୋଗ ବ୍ୟାପୁଥିବା ଦେଖିବାକୁ ମିଳିଛି । ଯାହାକି ମୁଣ୍ଡବିନ୍ଧାର କାରଣ ସାଜିଛି ।

ଗୋରୁଗାଈଙ୍କ ପାଇଁ ବିପଦ ସାଜିଛି ଚର୍ମ ବିଣ୍ଡି ରୋଗ । ଏହି ରୋଗ ପାଇଁ ନିର୍ଦ୍ଦିଷ୍ଟ ଟିକା ବାହାରି ନଥିବାବେଳେ ଗୋଟ ଫକ୍ସ ଭ୍ୟାକସିନ ନାମରେ ଛେଳିଙ୍କ ପାଇଁ ଉଦ୍ଦିଷ୍ଟ ପ୍ରତିଷେଧ ଟିକା ଗୋରୁଙ୍କ ଦେହରେ ଫୋଡୁଛନ୍ତି ପ୍ରାଣୀଧନ ବିଭାଗ । ଜିଲ୍ଲା ପ୍ରାଣୀଧନ ବିଭାଗ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ପ୍ରାୟ 30 ହଜାର ଭ୍ୟାକସିନ ଦିଆସରିଛି । ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଳକରେ ସର୍ବାଧିକ 172 ଗୋଟି ଗୋରୁ ଲମ୍ପି ଭାଇରସ(ଚର୍ମ ବିଣ୍ଡି ରୋଗ)ରେ ଆକ୍ରାନ୍ତ ହୋଇଥିବା ବେଳେ ତିହିଡ଼ି ବ୍ଲକରେ 169, ଭଣ୍ଡାରିପୋଖରୀ ବ୍ଲକରେ 129, ବନ୍ତ ବ୍ଳକରେ 100, ଧାମନଗର ବ୍ଳକରେ 89, ବାସୁଦେବପୁର ବ୍ଳକରେ 56 ଏବଂ ଚାନ୍ଦବାଲି ବ୍ଲକରେ 31 ଗୋଟି ଗୋରୁ ଲମ୍ପି ଭାଇରସ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

ତେବେ ଏନେଇ ଜିଲ୍ଲା ପ୍ରାଣୀଧନ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶୁଭେନ୍ଦ୍ର ମିଶ୍ର କହିଛନ୍ତି, "ଏକା ଜାତିର ଭାଇରସ ହୋଇଥିବା ଯୋଗୁଁ ଏହି ଭ୍ୟାକ୍ସିନକୁ ଉଭୟ ଛେଳି ଏବଂ ଗୋରୁଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ। ତାଛଡ଼ା ଏହି ଭ୍ୟାକସିନ୍‌ ଦିଆଯିବା ଯୋଗୁଁ ଗୋରୁଙ୍କ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଉଛି । ତେଣୁ ସରକାରଙ୍କ ପକ୍ଷରୁ ଲମ୍ପି ଭାଇରସ ରୋକିବା ପାଇଁ ଏହି ଟୀକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଈଙ୍କ ସୁରକ୍ଷା ପାଇଁ ସଚେତନତା ଏବଂ ସତର୍କତା ଜରୁରୀ ।"

ଏହି ସଂକ୍ରାମକ ରୋଗରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସମୟରେ ଗୋରୁଙ୍କ କିଣାବିକା ବନ୍ଦ ରଖିବା, ସୁସ୍ତ ଗୋରୁଙ୍କୁ ଅସୁସ୍ଥ ଗୋରୁଙ୍କଠାରୁ ଦୂରେଇ ରଖିବା, ଗୋରୁ ଗୁହାଳକୁ ପରିଷ୍କାର ପରିଛନ୍ନ ରଖିବା, ଗୋରୁଙ୍କୁ ମଶା, ଡାଆଁସ ଏବଂ ଟିଙ୍କଠାରୁ ଦୂରେଇ ରଖିବା, ଗୋରୁଙ୍କୁ ଆବଶ୍ୟକ ମତେ ଗୋଖାଦ୍ୟ ଏବଂ ସବୁଜ ଘାସ ଯୋଗାଇ ଦେବା, ଘା'ରେ ମଲମ ମାରିବା ଆଦି ଦିଗ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି ପ୍ରାଣୀ ଅଧିକାରୀ କହିଛନ୍ତି । ସଂକ୍ରମଣ ଜନିତ ରୋଗ ପାଇଁ ଗାଈଙ୍କ ଜୀବନ ଯାଉଛି । ଋଣ କରି ଗୋପାଳନ କରୁଥିବା ଚାଷୀ ଏବେ ଚିନ୍ତାରେ । ତେଣୁ ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି ।


ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details