ଭଦ୍ରକ: ବାତ୍ୟା ଜୱାଦ ଦୁର୍ବଳ ହୋଇଥିଲେ ସୁଦ୍ଧା ଏହାର ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଝିପିଝିପି ବର୍ଷା ଜାରି ରହିଛି । ତା ସହ କୋହଲା ପବନ ମଧ୍ୟ ଜାରି ରହିଛି । ବର୍ଷା ପବନକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଅବଲମ୍ବନ କରାଯାଇଛି । ଜିଲ୍ଲାରେ 7ଟି ବ୍ଲକରେ ୧୫୧ ମିଲିମିଟର ବର୍ଷା ହୋଇଥିବା ନେଇ ପ୍ରଶାସନ ସୂଚନା ଦେଇଛି । ଚାନ୍ଦବାଲିରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।
ବର୍ଷାକୁ ନେଇ ବିଶେଷ କରି ସମୁଦ୍ର ଉପକୂଳବର୍ତ୍ତୀ ଧାମରା, ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯାଇଛି । ତେବେ ବର୍ଷା ଯୋଗୁଁ ଜମିରେ ପାଚିଲା ଧାନ ବିଲରେ ପଡ଼ି ରହିଛି । ଚାଷୀ ବିଶେଷ ଭାବେ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଇଛି । ଅନ୍ୟପକ୍ଷରେ ତଳିଆ ଅଞ୍ଚଳରେ ବାତ୍ୟା ଓ ବର୍ଷାର ପ୍ରଭାବ ନଥିବାରୁ କୌଣସି ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇନାହିଁ । ଏହାକୁ ନେଇ ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।