ଭଦ୍ରକ: ଜିଲ୍ଲାରେ ଦୀର୍ଘ ଦିନ ଧରି ବନ୍ଦ ଥିବା ଜମିକିଣା ବିକାକୁ ନେଇ ଭଦ୍ରକ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରହିଥିଲା । ତେବେ ବର୍ତ୍ତମାନ ଏହା ପୂର୍ବପରି ଆରମ୍ଭ ହେବ ବୋଲି ଆଶା କରାଯାଇଛି । ତେଣୁ ଭଦ୍ରକ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ଜାରି ରହିଥିବା ଜନ ଆନ୍ଦୋଳନ ଏବଂ ପ୍ରତିବାଦ ସଭା ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସୋମବାର ଦିନ ଜିଲ୍ଲାପାଳ, ବିଧାୟକ, ଅତିରିକ୍ତ ଜିଲ୍ଲାପାଳ ଏବଂ ସବରେଜିଷ୍ଟରଙ୍କ ଉପସ୍ଥିତିରେ ଏହି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିଥିବା ସୂଚନା ଦେଇଛନ୍ତି ଆନ୍ଦୋଳନକାରୀ ।
ପ୍ରକାଶ ଥାଉକି, ଓଡ଼ିଶା ରିଏଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା) ଆଇନର କାର୍ଯ୍ୟକାରିତାକୁ ନେଇ ସୃଷ୍ଟ ଦ୍ଵନ୍ଦକୁ ହଟାଇବା ସହ ଏହାର ସହଜ ସମାଧାନ ଦାବିରେ ଦୀର୍ଘ ଦିନ ଧରି ଭଦ୍ରକ ନିବନ୍ଧନ କାର୍ଯ୍ୟାଳୟ ଆଗରେ ଜନ ଆନ୍ଦୋଳନ ଏବଂ ପ୍ରତିବାଦ ସଭା ଆରମ୍ଭ ହୋଇଥିଲା । ଯାହାକି ଆଇନର ଆଳ ଦେଖାଇ ବିକ୍ରେତା ଓ କ୍ରେତାଙ୍କୁ ହଇରାଣ କରାଯାଉଥିବା ଆରୋପ ଆଣି ଅନ୍ୟ ସମସ୍ତ ଜିଲ୍ଲାମାନଙ୍କ ଭଳି ଭଦ୍ରକ ଜିଲ୍ଲାରେ ମଧ୍ୟ ସହଜ ଜମି କିଣା-ବିକା ଲାଗି ବ୍ୟବସ୍ଥା ଦାବି କରି ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା । 12 ଡେସିମିଲରୁ ଅଧିକ ଜମି ବିକ୍ରି ପାଇଁ ଓରେରା କର୍ତ୍ତୃପକ୍ଷଙ୍କ ଅନୁମତି ଆଣିବା ଲାଗି ନିବନ୍ଧନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଥିବାରୁ ଏଥି ନେଇ ସହର ଓ ଗ୍ରାମାଞ୍ଚଳର ଶହ ଶହ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିଲେ ।