ଓଡିଶା

odisha

ETV Bharat / state

ପୀଠ ସହ ପୂଜା ମଣ୍ଡପରେ ଝଟକୁଛନ୍ତି ମାଆ, କାଳୀ ପୂଜା ନେଇ ଭଦ୍ରକରେ ଉତ୍ସବର ମାହୋଲ - ଭଦ୍ରକାଳୀ ପୀଠ କାଳୀପୂଜା

Kali Puja in Bhadrak: କାଳୀପୂଜା ପାଇଁ ଚଳଚଞ୍ଚଳ ଭଦ୍ରକ । ଭଦ୍ରକାଳୀ ପୀଠରେ ସପ୍ତମାତୃକା ବେଶରେ ଦର୍ଶନ ଦେଉଛନ୍ତି ମାଆ । ସେପଟେ ଚରମ୍ପାରେ 9 ପୂଜା ମଣ୍ଡପରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଲକ୍ଷାଧିକ ଭକ୍ତଙ୍କ ସମାଗମ । ଅଧିକ ପଢ଼ନ୍ତୁ

ଭଦ୍ରକାଳୀ ପୀଠରେ ସପ୍ତମାତୃକା ପୂଜା
ଭଦ୍ରକାଳୀ ପୀଠରେ ସପ୍ତମାତୃକା ପୂଜା

By ETV Bharat Odisha Team

Published : Nov 17, 2023, 1:27 PM IST

ଭଦ୍ରକାଳୀ ପୀଠରେ ସପ୍ତମାତୃକା ପୂଜା

ଭଦ୍ରକ:ପବିତ୍ର କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଭଦ୍ରକ ଜିଲ୍ଲା । ଭଦ୍ରକ ସହରଠାରୁ ମାତ୍ର ନଅ କିଲୋମିଟର ଦୂରରେ ପୁଣ୍ୟତୋୟା ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ମା' ଭଦ୍ରକାଳୀ ପୀଠ । ପୁରାଣ ପ୍ରସିଦ୍ଧ ଏହି ଶକ୍ତି ପୀଠ, କାଳୀ ପୂଜା ପାଇଁ ବେଶ ଚଳଚଞ୍ଚଳ। ଚଳିତ ମାସ 12 ତାରିଖ ଠାରୁ 18 ତାରିଖ ପର୍ଯ୍ୟନ୍ତ ଏଠାରେ ସ୍ବତନ୍ତ୍ର ପୂଜା ରୀତିନୀତି ଅନୁଯାୟୀ ପୂଜା ଅନୁଷ୍ଠିତ ହେଉଛି । ଅନ୍ୟପକ୍ଷରେ ଭଦ୍ରକ ସହରର 9 ଟି ପୂଜା ମଣ୍ଡପରେ ମା ଶ୍ୟାମାକାଳୀଙ୍କ ମୃଣୟୀ ମୂର୍ତ୍ତିର ପୂଜାର୍ଚ୍ଚନା ପାଇଁ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପକ୍ଷରୁ ପ୍ରତିଯୋଗିତା ମୂଳକ ଆୟୋଜନ କରାଯାଇଛି । ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ପ୍ରକାଶ ପାଇଛି।

ପବିତ୍ର ଜଳରାଶି ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ଭଦ୍ରକାଳୀ ପୀଠ । ଯେଉଁଠି ମାଆ ସଦାସର୍ବଦା ବିଶ୍ବମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ହେଲେ ଜଗତକଲ୍ୟାଣ ଉଦ୍ଦେଶ୍ୟରେ ପରମ ବୈଷ୍ଣବୀ ମାଆ ଭଦ୍ରକାଳୀ କାଳୀପୂଜା ଠାରୁ ସାତଦିନ ଧରି ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ବିଶ୍ବାସ ରହିଛି, କାହିଁ କେଉଁ କାଳରୁ ମେଘନାଦ ପର୍ବତରୁ ଆସି ଭଦ୍ରକର ଭୂୟାଁ ମହଲାରେ ପୂଜା ପାଉଥିଲେ ଭଦ୍ରକାଳୀ । ହେଲେ କଳାପାହାଡ଼ ଆକ୍ରମଣ ବେଳେ ଭକ୍ତ ମାନେ ମାଙ୍କୁ ସେଠାରୁ ଆଣି ଆହାରପଦା ଠାରେ ସ୍ଥାପିତ କରିଥିଲେ । ଯାହାକି ବର୍ତ୍ତମାନ ଭଦ୍ରକାଳୀ ପୀଠ ଭାବେ ପରିଚିତ।

ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ମାଆ ଭଦ୍ରକାଳୀ ପୀଠ ପୁରାଣ ପ୍ରସିଦ୍ଧ । ତେବେ ଭଦ୍ରକାଳୀ ପୀଠରେ ପବିତ୍ର କାଳୀପୂଜା ଠାରୁ ମାଆ ସାତ ଦିନ ପର୍ଯ୍ୟନ୍ତ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ମାଆ । ପ୍ରଥମ ଦିନରେ ଆହାର ପଦା ଘାଟରୁ କଳସ ଯାତ୍ରା ପରେ ପୀଠରେ ଘଟ ସ୍ଥାପନ ସହ ଆରମ୍ଭ ହୋଇଥାଏ ଶତଚଣ୍ଡୀ ପାଠ, ଦୀପ ଯଜ୍ଞ ସହ ବିଶ୍ବଶାନ୍ତି ମହାଯଜ୍ଞ।

ଏଥିସହ ମାଆ ଭଦ୍ରକାଳୀଙ୍କ ସାତଦିନ ଧରି ସପ୍ତମାତୃକା ବେଶ ଆରମ୍ଭ ମଧ୍ୟ ହୋଇଛି । ସାତ ଦିନରେ ବେଦମାତା, ମହାକାଳୀ, ରାଜ ରାଜେଶ୍ବରୀ, ସିଂହ ବାହିନୀ, ଜଗଧାତ୍ରୀ, ମହା ସରସ୍ବତୀ ଏବଂ ଶେଷରେ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମାଆ । ଶୁଭାଧୁବାସ, ମାନସିକଧାରୀ କଳସ ଶୋଭାଯାତ୍ରା, ଘଟସ୍ଥାପନ, ଶତଚଣ୍ଡୀ ପାଠ, ବିଶ୍ବ ଶାନ୍ତି ମହାଯଜ୍ଞ ସହ ଆରମ୍ଭ ହୋଇଛି ମାଆଙ୍କ ସପ୍ତଦିବସ ବ୍ୟାପୀ ବିଶେଷ ପୂଜା ରୀତିନୀତି । ସାତ ଦିନ ଧରି ଚାଲିବାକୁ ଥିବା ଏହି ପୂଜା ରୀତିନୀତିର ପୂର୍ଣ୍ଣାହୁତି ନଭେମ୍ବର 18 ତାରିଖରେ ହେବ ।

ଏହାମଧ୍ୟ ପଢନ୍ତୁ..Kali Puja: ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ

ଅନ୍ୟପଟେ ଭଦ୍ରକ ଚରମ୍ପା ଅଞ୍ଚଳରେ ପ୍ରସିଦ୍ଧ କାଳୀପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି ସବୁ ପୂଜା ମଣ୍ଡପ । ଉଜ୍ଜ୍ବଳ ଆଲୋକ ମାଳାରେ ଝଲସି ଉଠୁଛି ସବୁ ପୂଜା ମଣ୍ଡପ । ନାନା ରଙ୍ଗରେ ସଜେଇ ହୋଇଛନ୍ତି ମା’ କାଳୀଙ୍କର ମୃଣ୍ମୟୀ ମୂର୍ତ୍ତି । 12 ତାରିଖରୁ କାଳୀପୂଜା ଆରମ୍ଭ ହୋଇଥିବା ବେଳେ 18 ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତା 19 ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ।

ମାଆଙ୍କ ଦର୍ଶନ ପାଇଁ ଚରମ୍ପାର ବିଭିନ୍ନ ମଣ୍ଡପରେ ଲକ୍ଷାଧିକ ଭକ୍ତଙ୍କର ଗହଳି ଲାଗିଛି । ଚରମ୍ପାରେ 9 ଟି ସ୍ଥାନରେ ମା’ କାଳୀ ପୂଜା ପାଉଛନ୍ତି । ବିଶେଷ କରି ଚରମ୍ପା ର ପୂର୍ବତଟ ରେଳବାଇ କର୍ମଚାରୀଙ୍କ ପକ୍ଷରୁ ଅନୁଷ୍ଠିତ ହେଉଥିବା କାଳୀ ପୂଜା ଶହେ ବର୍ଷରେ ପଦାର୍ପଣ କରିଥିବା ବେଳେ ଚରମ୍ପାର ଟ୍ରାଫିକ କାଳୀ ପୂଜା ମଣ୍ଡପ 97 ବର୍ଷରେ ପଦାର୍ପଣ କରିଛି । ତେଣୁ ପ୍ରସିଦ୍ଧ କାଳୀ ପୂଜାକୁ ମହାଡମ୍ବର ସହକାରେ ପାଳନ କରିବାକୁ ବିଶେଷ ଆୟୋଜନ କରାଯାଇଛି ।

ସେହିପରି ପି ଡବ୍ଲୁ ଆଇ କାଳୀ ପୂଜା ମଣ୍ଡପ, ପଥର କାଳୀ, ରାଜଘାଟ କାଳୀ ପୂଜା ମଣ୍ଡପ, ସ୍କୁଲ ରୋଡ କାଳୀ ପୂଜା ମଣ୍ଡପ, ବିସାଣି ଖରିଦା କାଳୀ ପୂଜା ମଣ୍ଡପ, ଏରେଇ କାଳୀ ପୂଜା ମଣ୍ଡପ, ଡଗରାସାହି କାଳୀ ପୂଜା ମଣ୍ଡପ ପ୍ରମୁଖ ବିଭିନ୍ନ ପୂଜା କମିଟି ପକ୍ଷରୁ ମହାଡମ୍ବର ସହକାରେ ପାଳନ ହେଉଛି । ଚରମ୍ପା କାଳୀ ପୂଜାର ନିଆରା ଆକର୍ଷଣ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେଉଛି।

ଅନ୍ୟପଟେ ମଣ୍ଡପଗୁଡିକ ପାଖରେ ଯାତ୍ରା ପାର୍ଟି, ମିନାବଜାର, ବିଭିନ୍ନ ଦୋକାନ ବଜାର, ରାମଦୋଳିର ମଧ୍ୟ ଆୟୋଜନ କରାଯାଇଛି । ଯାହାର ମଜା ନେଉଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । କାଳୀ ପୂଜା ପାଇଁ ଚରମ୍ପାର ସବୁ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ସହଯୋଗ କରୁଥିବା ବେଳେ ପୁଲିସ ପକ୍ଷରୁ 20 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details