ଭଦ୍ରକ: ଚଳିତ ମାର୍ଚ୍ଚ ମାସ ୩୦ ତାରିଖରେ ଭଦ୍ରକ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଅନୁଷ୍ଠିତ ହେବ ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ । ଯାହାକି ଭଦ୍ରକରେ ଗଣପର୍ବ ଭାବରେ ପାଳନ କରାଯାଇଥାଏ । ଏନେଇ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାରେ ସୁରକ୍ଷା ଓ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ମଙ୍ଗଳବାର ପ୍ରଥମେ ଜିଲ୍ଲା ପୋଲିସ ଓ ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିଲା ।
ମୁଖ୍ୟତଃ ମାର୍ଚ୍ଚ ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଐତିହାସିକ ଗାନ୍ଧି ପଡ଼ିଆରେ ମୀନାବଜାର ଏବଂ ସନ୍ଧ୍ୟାରେ ବିଭିନ୍ନ ଆଧ୍ୟାତ୍ମିକ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର କାର୍ଯ୍ୟସୂଚୀ ରହିଛି । ଏହି ପର୍ବର ବିଶେଷ ଆକର୍ଷଣ ମହିଳାମାନଙ୍କ ଦ୍ୱାରା ଆୟୋଜିତ କଳସ ଶୋଭାଯାତ୍ରା ଏବଂ ସୁସଜ୍ଜିତ ମେଢଗୁଡିକର ନଗର ସଂକୀର୍ତ୍ତନ ଯାତ୍ରା । ହଜାର ହଜାର ମହିଳା ଶ୍ରଦ୍ଧାଳୁ କଳସ ଧରି ଗାନ୍ଧି ପଡିଆରୁ ଶୋଭାଯାତ୍ରାରେ ବାହରି ସହର ପରିକ୍ରମା କରି ଶାଳନ୍ଦୀ ଘାଟରୁ ଜଳ ଆଣି ଯଜ୍ଞ ମଣ୍ଡପରେ ପହଞ୍ଚିଥାନ୍ତି । ସେହିପରି ରାମ ନବମୀ ଦିନ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ପ୍ରାନ୍ତରୁ ୧୦୦ରୁ ଅଧିକ ସୁସଜ୍ଜିତ ମେଢର ନଗର ସଂକୀର୍ତ୍ତନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଯାହାକି ଭଦ୍ରକ ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ । ଏଥିରେ ହଜାର ହଜାର ରାମ ଭକ୍ତ ସାମିଲ ହୋଇଥାନ୍ତି । ତେଣୁ ଭଦ୍ରକରେ ପବିତ୍ର ରାମ ନବମୀକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ଭଦ୍ରକ ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମଙ୍ଗଳବାର ସହରରେ ରାପିଡ ଆକ୍ସନ ଫୋର୍ସ ଓ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି ।