ଭଦ୍ରକ: ମା ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିନରେ ଆଜି ମା ଜଗଦ୍ଧାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ହେଲେ କୋରନା କଟକଣା ଯୋଗୁଁ ଚଳିତ ବର୍ଷ ଭକ୍ତମାନେ ମା ଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହୋଇଛନ୍ତି ।
ଜଗଦ୍ଧାତ୍ରୀ ବେଶରେ ମାଙ୍କର ଆଜି ବାଘ ବାହନଥିବାବେଳେ ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ ଥିଲା । ମା ନାଲି ପାଟ ବସ୍ତ୍ର ପରିଧାନ କରିଥିବାବେଳେ ସ୍ବର୍ଣ୍ଣ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି । ମା ହସ୍ତରେ ଶଙ୍ଖ, ଚକ୍ର, ଗଦା, ଖଡ୍ଗ ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତୀରେ ପ୍ରକଟ ହୋଇଛନ୍ତି । ଏଥି ସହ ପୀଠରେ ଯଜ୍ଞ, ହୋମ ମଧ୍ୟ ଜାରି ରହିଛି । ଜଗଦ୍ଧାତ୍ରୀ ବେଶରେ ମାଙ୍କୁ ଦର୍ଶନ କଲେ ଭକ୍ତର ମାନସିକ ପୂରଣ ହୁଏ ବୋଲି ଦୃଢ଼ ବିଶ୍ବାସ ରହିଛି । ଆଦ୍ୟାଶକ୍ତି ମା ଭଦ୍ରକାଳୀ ସୃଷ୍ଟିର ସମସ୍ତ ଶକ୍ତିର ଅଧିକାରିଣୀ ଜଗତର ପାଳନ କର୍ତ୍ତୀ । ତେଣୁ ସମସ୍ତ ଜୀବ ଜଗତ, ପ୍ରାଣୀ ଜଗତ ତଥା ଉଦ୍ଭିଦ ଜଗତ, ଜଳ, ସ୍ଥଳ ସର୍ବତ୍ର ତାଙ୍କର ସତ୍ତା ଉପଲବ୍ଧି ହେଉଛି ବୋଲି ବିଶ୍ଵାସ କରାଯାଏ ।