ଓଡିଶା

odisha

By

Published : Mar 25, 2023, 7:28 PM IST

ETV Bharat / state

ବିଜେଡିରେ ବଢ଼ୁଛି ଅନ୍ତଃକନ୍ଦଳ, ଶୀର୍ଷ ନେତୃତ୍ବଙ୍କ ଦୃଷ୍ଟି ଆକର୍ଷଣ କଲେ ବହିଷ୍କୃତ ନେତା

ଭଦ୍ରକ ବିଜେଡିରେ ଗୋଷ୍ଠୀକନ୍ଦଳ ବଢ଼ିବାରେ ଲାଗିଛି । ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅଙ୍କୁ ବିରୋଧ କରିବାରୁ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ଅଭିଯୋଗରେ ୩ ବରିଷ୍ଠ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଏନେଇ ସାମ୍ବାଦିକ ସମ୍ମିଳନୀରେ ଶୀର୍ଷ ନେତୃତ୍ବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବହିଷ୍କୃତ ନେତା । ଅଧିକ ପଢ଼ନ୍ତୁ

ଭଦ୍ରକ ବିଜେଡିରେ ବଢ଼ୁଛି ଗୋଷ୍ଠୀକନ୍ଦଳ
ଭଦ୍ରକ ବିଜେଡିରେ ବଢ଼ୁଛି ଗୋଷ୍ଠୀକନ୍ଦଳ

ଭଦ୍ରକ ବିଜେଡିରେ ବଢ଼ୁଛି ଗୋଷ୍ଠୀକନ୍ଦଳ

ଭଦ୍ରକ: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ହେଲେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରେ ଶାସକ ଦଳ ବିଜେଡିରେ ଅନ୍ତଃକନ୍ଦଳ ତୀବ୍ର ରୂପ ନେଇଛି । ଏହି ନିର୍ବାଚନ ମଣ୍ଡଳୀରୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ ପ୍ରତିନିଧିତ୍ବ କରୁଥିବାରୁ ଏଭଳି ଅନ୍ତଃକନ୍ଦଳ ଯାହାକି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସ ୧୯ ତାରିଖ ଦିନ ବନ୍ତ ଠାରେ ବିଜୁ ଜନତା ଦଳର ଏକ ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାବେଶରେ ବିଜେଡିର ପୂର୍ବତନ ବ୍ଲକ ସଭାପତି କମଳାକାନ୍ତ ସାହୁ, ପୂର୍ବତନ ବନ୍ତ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ, ଅବସରପ୍ରାପ୍ତ ଅଧ୍ୟାପକ ଡାକ୍ତର ସୁଧାଂଶୁ ଶେଖର ନାୟକଙ୍କ ସହ ଦଳର ବହୁ ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵଚ୍ଛ ଶାସନକୁ ପ୍ରଶଂସା କରିଥିଲେ । ଏହାସହ ଗତ ପଞ୍ଚାୟତ ନିର୍ବାଚନ ପରେ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କ ପୁତ୍ର ଦଳର ଦାୟିତ୍ବ ହାତକୁ ନେବା ପରେ ପ୍ରଶାସନିକ ସ୍ତରରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବଢି ଚାଲିଥିବା ଅଭିଯୋଗ କରିଥିଲେ । ଦଳର ଶୃଙ୍ଖଳିତ କର୍ମୀମାନେ ଅବହେଳିତ ହୋଇ ରହିଥିବା ନେତାମାନେ ସେଠାରେ ଅଭିଯୋଗ କରିଥିଲେ । ତେବେ ଏହି ପ୍ରସଙ୍ଗରେ ଦଳର ବରିଷ୍ଠ ନେତାଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏପରି ଏକ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା ବୋଲି କୁହାଯାଉଛି ।

ଏହି ବିଷୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଜୁ ଜନତା ଦଳର ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁଙ୍କ ଦ୍ବାରା ବନ୍ତ ବ୍ଲକର ୩ ଜଣ ବରିଷ୍ଠ ବିଜେଡି ନେତାଙ୍କୁ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଗତ ୨୦ ତାରିଖ ଦିନ ଦଳରୁ ବହିଷ୍କାର କରାଯାଇଥିଲା । ଯାହାକି ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ୨୪ ତାରିଖ (ଶୁକ୍ରବାର) ଦିନ ବହିଷ୍କୃତ ନେତା ମାନଙ୍କ ପକ୍ଷରୁ ବନ୍ତ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଦଳରୁ ବହିଷ୍କାର କରିବା ପୂର୍ବରୁ ସେମାନଙ୍କର ପକ୍ଷ ରଖିବାକୁ ସୁଯୋଗ ନଦେଇ ପଦକ୍ଷେପ ଗ୍ରହଣ କରିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିଥିଲେ ବହିଷ୍କୃତ ନେତୃତ୍ବ ମାନେ । ଏହା ସହିତ ଏଭଳି ପଦକ୍ଷେପକୁ ସେମାନେ ସମାଲୋଚନା କରିଥିଲେ ।

ସେପଟେ ବହିଷ୍କୃତ ନେତା କହିଛନ୍ତି, "ବିଜୁ ଜନତା ଦଳ ଏକ ରାଜନୈତିକ ସଙ୍ଗଠନ ନୁହେଁ ବରଂ ଏହା ଏକ ସାମାଜିକ ଆନ୍ଦୋଳନ । ତେଣୁ ସାମାଜିକ ଆନ୍ଦୋଳନରେ ଜଡିତ ଥିବା ବ୍ୟକ୍ତି କେବେ ବହିଷ୍କାର ହୋଇପାରେ ନାହିଁ । ନବୀନ ବାବୁଙ୍କ ସ୍ବଚ୍ଛ ଶାସନ ତଳେ ଆମେ ଅଛୁ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭୁଲ କରିଥିବା ବ୍ୟକ୍ତିଙ୍କୁ ସମାଲୋଚନା କରିବାର ଅଧିକାର ସମସ୍ତଙ୍କର ଅଛି ।" ତେଣୁ ସମାଲୋଚନା କଲେ ବହିଷ୍କାର କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି ବହିଷ୍କୃତ ନେତୃତ୍ବ ମାନେ । ଏଥିସହ ଆଗାମୀ ଦିନରେ ଏଦିଗରେ ଦଳର ଶୀର୍ଷ ନେତୃତ୍ବ ବିହିତ ପଦକ୍ଷେପ ନେବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଦଳରୁ ବହିଷ୍କୃତ ପ୍ରାକ୍ତନ ବ୍ଲକ ସଭାପତି କମଳାକାନ୍ତ ସାହୁ, ପ୍ରାକ୍ତନ ବନ୍ତ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ ଏବଂ ଅବସରପ୍ରାପ୍ତ ଅଧ୍ୟାପକ ଡାକ୍ତର ସୁଧାଂଶୁ ଶେଖର ନାୟକ । ନହେଲେ ସେମାନେ ବାଧ୍ୟ ହୋଇ ଅନ୍ୟ ନିଷ୍ପତ୍ତି ଗ୍ରହଣ କରି ପାରନ୍ତି ବୋଲି ଖୋଲା ଚେତାବନୀ ଦେଇଛନ୍ତି । ଏନେଇ ଆମେ ବିଜେଡିର ଜିଲ୍ଲା ସଭାପତିଙ୍କ ସମେତ ଅନ୍ୟାନ୍ୟ ନେତୃତ୍ବଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲୁ । ହେଲେ ଏନେଇ କେହି କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details