ଭଦ୍ରକ:ଚାନ୍ଦବାଲି ସବ ପୋଷ୍ଟ ଅଫିସରେ ଲଗାତାର ଚାରି ଦିନରୁ ଊର୍ଦ୍ଧ୍ବ ହେଲାଣି ଇଣ୍ଟରନେଟ ସେବା ଫେଲ ହୋଇଛି । ଲିଙ୍କ ରହୁନଥିବାରୁ ପୋଷ୍ଟ ଅଫିସରେ କୌଣସି କାମ ହୋଇପାରୁନାହିଁ । କର୍ମଚାରୀ ମାନେ ହାତଟେକି ବସି ରହୁଥିବାବେଳେ ପ୍ରତିଦିନ ଆସୁଥିବା ଶତାଧିକ ଗ୍ରାହକ ପୋଷ୍ଟ ଅଫିସରେ ଜମା ଅର୍ଥ ଉଠାଣ କରିନପାରି ନିରାଶ ହୋଇ ଫେରୁଛନ୍ତି ।
ଚାନ୍ଦବାଲି ସବ ପୋଷ୍ଟ ଅଫିସ ଅଧୀନରେ 19ଟି ବ୍ରାଞ୍ଚ ଅଫିସ ରହିଛି । କିନ୍ତୁ ଇଣ୍ଟରନେଟ ସେବା ବନ୍ଦ ହେବା ଯୋଗୁଁ ବ୍ରାଞ୍ଚ ଅଫିସରୁ କର୍ମଚାରୀ ଓ ଏଜେଣ୍ଟମାନଙ୍କ ଦ୍ଵାରା ଆସୁଥିବା ସେଭିଂ, ଆର.ଡ଼ି, ସୁକନ୍ୟା, ଇନ୍ସୁରାନ୍ସ, ଆଦି କୌଣସି କାର୍ଯ୍ୟ ହୋଇପାରୁନାହିଁ । ଦିନେ କି ଦୁଇ ଦିନ ନୁହେଁ ଲଗାତାର ଚାରି ଦିନ ଏହିଭଳି ଅବ୍ୟବସ୍ଥା ଦେଖା ଦେଇଥିବା ବେଳେ ଏହାର କୌଣସି ସମାଧାନ ହୋଇପାରିନଥିବା ଅଭିଯୋଗ ହୋଇଛି ।