ଭଦ୍ରକ:କୋଇଲା ଚୋରାଚାଲାଣ ବେଳେ କେନାଲ ହୁଡାରେ ଫସିଲା ଗାଡି । ଖବର ପାଇବା ପରେ ମଧ୍ୟ ବିଳମ୍ବରେ ପହଞ୍ଚିଲା ପୋଲିସ । ବିଳମ୍ବରେ ପଞ୍ଚିବା କାରଣରୁ ଚୋରା କୋଇଲା ବୋଝେଇ ଗାଡିକୁ ପୋଲିସ ଖସାଇ ଦେଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ନୂଆନନ୍ଦ ପଞ୍ଚାୟରେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଚୋରା କୋଇଲା ବୋଝେଇ ଗାଡି ନୂଆନନ୍ଦ ଜେନାସାହି ଗାଁରୁ ବାହାରି ସାବରଙ୍ଗ ଅଭିମୁଖେ ଯାଉଥିବା ବେଳେ କେନାଲ ହୁଡାରେ ଫସି ଯାଇଥିଲା ।
କୋଇଲା ବୋଝେଇ ଗାଡି ସହ କିଛି ଲୋକ ମଧ୍ୟ ଫସି ଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଫଶି ରହିଥିବା ଲୋକେ କଳେ ବଳେ କୌଶଳେ ଗାଡିକୁ ଉଠାଇ ଅନ୍ୟତ୍ର ନେଉଥିବାର ପ୍ରୟାସ କରୁଥିବା ମଧ୍ୟ ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା । ଉକ୍ତ ଚୋରା କୋଇଲା ବୋଝେଇ ଗାଡିକୁ ଧରିବା ଲାଗି ଗ୍ରାମର କେତେକ ବ୍ୟକ୍ତି ପୋଲିସକୁ ଖବର ଦେଇଥିଲେ । ମାତ୍ର ପୋଲିସ ପକ୍ଷରୁ ଦୀର୍ଘ ସମୟ ଧରି କୌଣସି ତତ୍ପରତା ପ୍ରକାଶ ପାଇନଥିବା ଅଭିଯୋଗ ହୋଇଛି ।
ଏହାର ସୁଯୋଗ ନେଇ ଫସିଥିବା ଗାଡିଟିକୁ ପ୍ରଥମେ ଟ୍ରାକ୍ଟର ଏବଂ ପରେ ମେସିନ ଲଗାଇ ଉଠାଇ ନେବାରେ ସଫଳ ହୋଇଥିଲେ ଚୋରା କୋଇଲା ଚାଲଣ କରୁଥିବା ଅସାଧୁ ବ୍ୟକ୍ତିମାନେ। ଏହାପରେ ବହୁ ବିଳମ୍ବରେ ସେଠାରେ ପୋଲିସ ପହଞ୍ଚି ଖାଲି ହାତରେ ଫେରିଥିଲା । ତେବେ ପୋଲିସର ଏପରି ଅବହେଳାକୁ ସାଧାରଣରେ ନିନ୍ଦା କରାଯାଇଛି । ତିହିଡି ଥାନାରୁ ପୋଲିସ ଗାଡି ବାହାରିଲେ ଅତିବେଶିରେ ଅଧାଘଣ୍ଟା ଲାଗିବା କଥା । କିନ୍ତୁ ପୋଲିସ ଜାଣିଶୁଣି ବିଳମ୍ବ କରିଛି ଯାହା ମାଫିଆଙ୍କୁ ସୁହାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।