ଭଦ୍ରକ: ଜିଲ୍ଲାର ଧାମରାରେ ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ଇଲିସି । ହେଲେ ଦରଦାମ ହେତୁ ହାତ ମାରି ହେଉନି । କିଲୋ ପିଛା 15 ଶହରୁ 2 ହଜାର ଟଙ୍କାରେ ବିକ୍ରି ହେଉଛି ଇଲିସି । ଗତ ବର୍ଷ ମାନଙ୍କରେ ଇଲିସି ଏତେଟା ଦେଖା ଦେଇନଥିବା ବେଳେ, ଏଥର କିଛି ଦିନ ହେବ ଲଗାଣ ବର୍ଷା ଧାମରା ଅଞ୍ଚଳର ମତ୍ସ୍ୟଜୀବୀଙ୍କ ଜାଲରେ ଗତ 3 ଦିନ ହେଲାଣି ଟନ୍ ଟନ୍ ଇଲିସି ମାଛ ପଡୁଛି । ହେଲେ ଛୋଟ ଇଲିସି ଏତେଟା ଦେଖାନଥିବା ବେଳେ ବଡ଼ ଇଲିସି ଗୁଡିକ ଜାଲରେ ପଡୁଛି ।
ବଡ଼ ଇଲିସିର ଚାହିଦା ଥିବାରୁ ଏହା ଦର ମଧ୍ୟ ଆକାଶଛୁଆଁ । କିଲୋରୁ ଦେଢ଼ କିଲୋ ଇଲିସି ଗୁଡିକ 15 ଶହରୁ 2 ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ କିଲୋରୁ ତଳକୁ ଓଜନର ଇଲିସି 12 ଶହ ଏବଂ 5 ଶହ 6 ଶହ ଗ୍ରାମ୍ ଓଜନର ଇଲିସି 6 ଶହ ଟଙ୍କାରେ ବିକ୍ରି ହେଉଛି । ଏହି ସମୟରେ ଇଲିସି ଆମଦାନୀ ହେଉଥିବାରୁ ଇଲିସି ଖାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ । କାଁଭାଁ ଛାଡିଦେଲେ ଆକାଶଛୁଆଁ ଦର ଯୋଗୁଁ ଗ୍ରାହକ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବ୍ୟବସାୟୀ ମାନେ ଇଲିସିକୁ କଲିକତା, ଖଡ଼ଗପୁର, ମେଛଦା ଆଦି ଅଞ୍ଚଳକୁ ପଠାଇଥାନ୍ତି ।