ଭଦ୍ରକ: ସଦର ମହକୁମାରେ ଏକ ଭଡା ଘରେ ରହୁଥିବା ଜଣେ ଗର୍ଭବତୀ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ସ୍ୱାମୀକୁ ଗିରଫ କରିଥିବା ଜଣାଯାଇଛି । ତେବେ ଏହି ହତ୍ୟାକାଣ୍ଡରେ ସାମିଲ ହୋଇଥିବା ପରିବାର ଲୋକଙ୍କୁ ଗିରଫ କରିବା ଦାବି ହୋଇଛି । ସ୍ୱାମୀ ସମେତ ପରିବାର ଲୋକେ ବିଗତ ଦେଢ ବର୍ଷ ଧରି ନାନାଦି ମାନସିକ ନିର୍ଯାତନା ଦେଇ ଆସୁଥିବା ବେଳେ ସୁପରିକଳ୍ପିତ ଭାବେ ହତ୍ୟାକରି ବାଥରୁମରେ ଗୋଡ ଖସି ଯାଇଥିବା ଆଳ ଦେଖାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଥିଲେ ବୋଲି ସୂଚନା ମିଳିଛି ।
ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ମହିଳାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତିକରି ଭଦ୍ରକ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଧିନ ମାଲପୁର ଗାଁର ସୁଧାରଞ୍ଜନ ମହାନ୍ତିଙ୍କ ଝିଅ ପ୍ରଜ୍ଞାସିନି ମହାନ୍ତି ଗତ 2019 ମସିହା ଡିସେମ୍ବର ମାସରେ କେଉଁଝର ଜିଲ୍ଲା ହାଟଡିହି (ନନ୍ଦିପଦା) ଥାନା ଅଧିନ ଅରା ଗାଁର ଖଗେଶ୍ୱର ଜେନାକୁ ବିବାହ କରିଥିଲେ ।